ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

0
615

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ଜାନୁଆରୀ ମାସ ୧୧ ତାରିଖରୁ ୧୭ ତାରିଖ ୭ ଦିନ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଆସୁଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଥାନା ଛକ ଠାରେ ପୋଲିସ ପକ୍ଷରୁ ଟ୍ରାଫିକ ନିୟମକୁ ନେଇ ଅଭିନବ ଉପାୟରେ ଲୋକମାନଙ୍କୁ ସଚେତନ କରାଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ହେଲମେଟ ପିନ୍ଧିଥିବା ଗାଡି ଚାଳକମାନଙ୍କୁ ଚକଲେଟ, ହେଲମେଟ ପିନ୍ଧିନଥିବା ଗାଡି ଚାଳକମାନଙ୍କୁ କଲରା ଏବଂ ସିଟ୍ବେଲଟ ନପିନ୍ଧିଥିବା ଗାଡି ଚାଳକମାନଙ୍କୁ ଅଁଳାକୋଳି ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ହେଲମେଟ ପରିଧାନ ନକରି ଯେଉଁ ଗାଡି ଚାଳକମାନେ ଯାତ୍ରା କରୁଥିଲେ ସେମାନଙ୍କୁ ପୋଲିସ ପକ୍ଷରୁ ହେଲମେଟ ପରିଧାନ ପାଇଁ ସଚେତନ କରାଇବା ସହ ସୁଲଭ ମୂଲ୍ୟରେ ସେହି ସ୍ଥାନରେହିଁ ହେଲମେଟ ଯୋଗାଇ ଦିଆଯାଇଥିଲା । ଅନେକ ଗାଡି ଚାଳକ ହେଲମେଟ ମଧ୍ୟ କ୍ରୟ କରିଥିବା ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ସମସ୍ତେ ଯେପରି ଟ୍ରାଫିକ ନିୟମ ମାନିବେ ସେଥିପାଇଁ “ମୁଁ ମାନୁଛି, ଆପଣବି ମାନନ୍ତୁ” ଲେଖାଥିବା ଷ୍ଟିକର ଗୁଡିକ ବିଭିନ୍ନ ଗାଡିରେ ପୋଲିସ ଦ୍ୱାରା ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ଅଧିକାରୀ ତଥା ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ପୋଲିସ ଏସ୍.ଡି.ପି.ଓ. ପି.କେ.ଜେନା, ଜିଲ୍ଲା ଯାନବାହାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here