ଆଜି ବିରଳ ସୂର୍ଯ୍ୟପରାଗ : ଜାଣନ୍ତୁ ଗ୍ରହଣ ଆରମ୍ଭ ଏବଂ ସର୍ବମୋକ୍ଷର ସମୟ l

0
584

ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ଅବଗଣନା । ଆଉ କେଇଟା ମିନିଟ୍ ପରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ବିରଳ ସୂର୍ଯ୍ୟପରାଗ । ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ । ଏହି ସୂର୍ଯ୍ୟପରାଗ ପ୍ରଥମେ ଆରବ ଦେଶ କାତାର, ୟୁଏଇ ଓ ଓମାନରେ ଦେଖାଯିବ । ଭାରତରେ ପ୍ରଥମେ କେରଳର ଚେରୁଭାତୁର ନାମକ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦେଖାଯିବାର ଭିନ୍ନ ଭିନ୍ନ ସମୟ ରହିଛି । ଭୁବନେଶ୍ବରରେ ୮ଟା ୧୯ ମିନିଟ୍ ୪୮ ସେକେଣ୍ଡରେ ପରାଗ ଦେଖାଯିବା ଆରମ୍ଭ ହେବ । ୯ଟା ୪୬ ମିନିଟ୍ ୭ ସେକେଣ୍ଡରେ ପରାଗ ସବୁଠାରୁ ଭଲ ଭାବେ ଦେଖାଯିବ । ୧୧ଟା ୨୮ ମିନିଟ୍ ୩୮ ସେକେଣ୍ଡରେ ଭୁବନେଶ୍ବରରେ ପରାଗ ଶେଷ ହେବ । ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ। ଏହି ସମୟରେ ସୂର୍ଯ୍ୟଙ୍କ ପ୍ରାୟ ୫୫ ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ। ଯାହା କି ବିରଳ ବୋଲି କୁହାଯାଉଛି।ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ବର ପଠାଣି ସମାନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟେଲିସ୍କୋପ୍ ମାଧ୍ୟମରେ ଏକାଥରେ ଶତାଧିକ ଲୋକ ଗ୍ୟାଲେରୀରେ ବସି ସୂର୍ଯ୍ୟପରାଗ ଦେଖିପାରିବେ। ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ମନା । ତେଣୁ ଟେଲିସ୍କୋପରୁ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ସମସ୍ତେ ଦେଖିପାରିବା ଭଳି ବନ୍ଦୋବସ୍ତ କରାଯାଇଛି। ଦର୍ଶକଙ୍କ ପାଇଁ ମାଇଲାର ସିଟ୍ ମଧ୍ୟ ରଖାଯାଇଛି। ଏଥିରେ ଏକକାଳୀନ ୫୦ ଜଣ ଲୋକ ଦେଖିପାରିବେ।ସେହିପରି ସୋଲାର ସ୍ପେକ୍ ମାଧ୍ୟମରେ ସମସ୍ତେ ସୂର୍ଯ୍ୟପରାଗ ଦେଖିପାରିବେ । ଏହି ସୋଲାର ସ୍ପେକ୍ କିଣିବାକୁ ପଡ଼ିବ । ପ୍ଲାନେଟୋରିୟମ୍ ବ୍ୟତୀତ ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଏବଂ ବିଜେବି କଲେଜରେ ମଧ୍ୟ ସୂର୍ଯ୍ୟପରାଗ ଦେଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here