ଦେଶି ମଦ ଦୋକାନ ବନ୍ଦ ଦାବୀରେ ମହିଳାଙ୍କ ଆନ୍ଦୋଳନ

0
619

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସୋମବାର ଦିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ପୁରୁଷୋତ୍ତମପୁର ବ୍ଳକର ବାଣନଇଖରିଡା ଗାଁ ଠାରେ ଦେଶି ମଦ କାରବାର ବନ୍ଦ କରିବା ଦାବୀରେ ମହିଳାମାନେ ରାସ୍ତା ଅବରୋଧ କରିଥିଲେ । ସକାଳୁ ସକାଳୁ ଗ୍ରାମର ଶତାଧିକ ମହିଳା ଏଠାରେ ଥିବା ମଦ ଭାଟିକୁ ସବୁଦିନ ପାଇଁ ବନ୍ଦ କରିବାକୁ ଆନ୍ଦୋଳନ କରି ପୁରୁଷୋତ୍ତମପୁର-କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତା ଉପରେ ବସିଥିଲେ ।
ଗତ ରବିବାର ଉକ୍ତ ଗ୍ରାମର କାମ୍ପ ଗୌଡ଼ ନାମକ ଜଣେ ବ୍ୟକ୍ତି ମଦ ପିଇ ମଦ ଭାଟି ନିକଟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବା ପରେ ସୋମବାର ଉତ୍ୟକ୍ତ ମହିଳା ଏଭଳି କାଣ୍ଡ ଭିଆଇଛନ୍ତି । ଏହି ଆନ୍ଦୋଳନ ଫଳରେ କିଛି ଘଣ୍ଟା ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା। ଖବରପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ, ଏସଆଇ ସ୍ନେହାମଞ୍ଜରି ସାହୁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ। ଉକ୍ତ ସରକାରୀ ମଦ ଦୋକାନ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।

LEAVE A REPLY

Please enter your comment!
Please enter your name here