ଶିକ୍ଷା ବିଭାଗ ଆଖିରେ ଅନ୍ଧ ପୁଟୁଳି, ବେଗୁନିଆପଡ଼ା ବ୍ଳକରେ ପୁଣି ୮ ଜାଲ୍ ଶିକ୍ଷକ!!

0
604

କୋଦଳା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଜାଲ୍ ପ୍ରମାଣ ପତ୍ର ଦେଇ ଗଂଜାମ ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଏବେ ସୂଚନା ତଥ୍ଯ ଆଧାରରେ ଏହି କାରନାମା ଉପରୁ ଧିରେ ଧିରେ ପରଦା ହଟିବାରେ ଲାଗିଛି। ଗତ କିଛି ଦିନ ତଳେ ବେଗୁନିଆପଡ଼ା ବ୍ଳକର ୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। ଏବେ ପୁଣି ୮ ଜଣ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଦାବି କରାଯାଇଛି। ଶୁକ୍ରବାର ଏନେଇ ଲିଖିତ ଅଭିଯୋଗ ହୋଇଛି। ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ମାନ୍ଯବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ଶିକ୍ଷା ସଚିବ, ମୁଖ୍ୟ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ, ପ୍ରକଳ୍ପ ସଂଯୋଜକ (ଓପେପା), କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ,ଗଂଜାମ ଜିଲ୍ଲାପାଳ, ଗଂଜାମ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ସୂଚନା ଅନୁସାରେ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମର୍ଦକୋଟ ୟୁ ପି ସ୍କୁଲର ପବିତ୍ର ମୋହନ ପାତ୍ର, ବେଗୁନିଆପଡ଼ା ପି ୟୁ ପି ଏସ୍ ର ସୁଧାକର ପରିଡା, ଏସ୍ ଛଚିନା ନୋଡ଼ାଲ ୟୁ ପି ଏସ୍ ର ପ୍ରମୋଦ କୁମାର ନାୟକ, ବିଲିପଡ଼ା ୟୁପିସ୍କୁଲ ର ତୋଫାନ କୁମାର ସ୍ୱାଇଁ, ଚିଙ୍ଗୁଡିଖୋଲ ୟୁ ପି ଏସ୍ ର ବାନାମ୍ବର ପ୍ରଧାନ, ହଂସତୁଳୀ ପି ୟୁ ପି ଏସ୍ ର ବୀଣାପାଣି ପ୍ରଧାନ, ମର୍ଦକୋଟ ୟୁ ପି ସ୍କୁଲର ସ୍ନେହଲତା ପ୍ରଧାନ, ମଂଗଳପୁର ପି ଏସ୍ ର ପରମାନନ୍ଦ ସାହୁଙ୍କ ନିଯୁକ୍ତି ବେଳେ ସେମାନେ ଦାଖଲ କରିଥିବା ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଜାଞ୍ଚ୍ କରିବାକୁ ଦାବି କରାଯାଇଛି ।ଏଥି ସହିତ କବିସୂର୍ଯ୍ୟନଗର ବ୍ଲକରୁ
୧୯ ଜଣ, ପୋଲସରାରୁ ୪ ଜଣ, ଖଲ୍ଲିିକୋଟ ବ୍ଲକର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରରେ ସାମିଲ ପାଇଁ ଦାବି କରିଛନ୍ତି ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ସଭାପତି ସମରଜିତ ମହାନ୍ତି। ବର୍ଷ ବର୍ଷ ଧରି ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସ୍ଥାନରେ ନିଯୁକ୍ତି କରି ମୋଟା ଅଙ୍କର ଦରମା ନେଇ ରାଜ୍ୟ ରାଜକୋଷକୁ ଲୁଟି ଚାଲିଥିବା ବେଳେ ଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସହ ସଲାସୁତୁରାରେ ଏଭଳି କାରନାମା ହୋଇଥିବା କୁହାଯାଉଛି। ତେବେ ପ୍ରଶାସନ ପାଖରେ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ଥିବା ବେଳେ ପ୍ରଶାସନ ପକ୍ଷରୁ ଚିହ୍ନଟ ନ କରି ଓଲଟା ସୁରକ୍ଷା ଦିଆଯାଇଛି ବୋଲି କହିଛନ୍ତି ମଞ୍ଚର ବେଗୁନିଆପଡ଼ା ଆବାହକ ସୁଶାନ୍ତ କୁମାର ପଟ୍ଟନାୟକ। ଏନେଇ ବେଗୁନିଆପଡ଼ା ବିଇଓ କମଳାକାନ୍ତ ସାହୁଙ୍କୁ ପଚାରିବାରୁ ଡିଇଓକଂ ନିର୍ଦ୍ଦେଶ କ୍ରମେ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନଙ୍କ ପ୍ରମାଣପତ୍ର ଜାଞ୍ଚ୍ ପାଇଁ ପଠାଇଥିବା କହିଛନ୍ତି। ଅନ୍ୟ ପକ୍ଷରେ ତୁରନ୍ତ ଏଥିପ୍ରତି ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନ ନିଆଗଲେ ହାଇକୋର୍ଟ ରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ମଞ୍ଚ।

LEAVE A REPLY

Please enter your comment!
Please enter your name here