ଦୀପାବଳୀ ରାତିରେ ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି। ଦୁର୍ବୁତ୍ତଙ୍କ ଗୁଳିରେ ଜଣେ ଆହତ, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଗୁରୁତର।

0
845

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଗତ କାଲି ସମଗ୍ର ଦେଶ ପାଳନ କରୁଥିଲା ଆଲୋକର ପର୍ବ ଦୀପାବଳୀ। ହେଲେ ଅନ୍ଧାର ଶୀତୁଆ ରାତି ସହିତ ବାଣ ଶବ୍ଦର ସୁଯୋଗ ନେଇଥିଲେ ଦୁର୍ବୁତ୍ତ। ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପଣ୍ଡିଆ ପଥର ଗାଁରେ ଗତ ରାତିରେ ହୋଇଥିଲା ଗୁଳିମାଡ। ଗୁଳିମାଡରେ ସେହି ଗାଁର ବଳରାମ ସେଠୀ ନାମକ ଜଣେ ଯୁବକ ଗୁରୁତ୍ଵର ହୋଇ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଗୁଳିମାଡର କାରଣ ସ୍ପଷ୍ଟ ନଥିବା ବେଳେ ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ଚାଲେଞ୍ଜ ଥିଲା। ତୁରନ୍ତ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ସନ୍ଦିଗ୍ଧ ସ୍ଥାନରେ ଆସିକା ପୋଲିସ ପକ୍ଷରୁ ହୋଇଥିଲା ଚଢ଼ାଉ। ଦୁର୍ଦାନ୍ତ ଅପରାଧୀ ଟିଙ୍ଗିରି ଦୋରା ଓ ତାର ସହଯୋଗୀଙ୍କ ପକ୍ଷରୁ ବଳରାମଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା। ଏବଂ ବଳରାମ ସେଠୀଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାର ମାତ୍ର କିଛି ସମୟ ପରେ ସେହି ଘଟଣାର ଅଭିଯୁକ୍ତକୁ ଗୁଳିର ଜବାବ ଗୁଳିରେ ଦେଇଥିଲା ଆସିକା ଥାନା ପୋଲିସ। ଗୁଳିମାଡ଼ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଚାରିମାଇଲି ଛକରେ ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଅଭିଯୁକ୍ତ ଟିଙ୍ଗିରିର ବାମ ଗୋଡରେ ପୋଲିସ ଗୁଳି ବାଜିଥିବା ବେଳେ ତାକୁ ମଧ୍ୟ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଦିଆଯାଇଛି। ଆହତ ଟିଙ୍ଗିରି ନିକଟରୁ ପୋଲିସ ଗୋଟିଏ ମାଉଜର ଦୁଇ ଗୁଳି ଓ ଗୋଟିଏ ମୋଟରସାଇକେଲ ଜବତ କରିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here