ଲଗାଣ ବର୍ଷା ଯୋଗୁଁ ଉବୁ ଟୁବୁ ରେଶମ ସହର ବ୍ରହ୍ମପୁର

0
811

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ବ୍ରହ୍ମପୁରରେ ବର୍ଷା ବିତ୍ପାତ। ବୁଧବାରରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ଆଜି ମଧ୍ୟ ଜାରି ରହିଛି ଓ ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଛି। ଏ ପର୍ଯ୍ୟନ୍ତ ଗଞ୍ଜାମରେ ୧୨୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଜପତିନଗର ୧୧ତମ ଗଳିରୁ ୧୪ତମ ଗଳିର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାରେ ବର୍ଷାଜଳ ଜମିରହିବା ସହ ନୀଳାଚଳ ନଗର, ଗାନ୍ଧିନଗର, ଲକ୍ଷ୍ମୀନୃସିଂହ ସାହି ଘର ଭିତରକୁ ବର୍ଷାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।
ଲାଞ୍ଜିପଲ୍ଳୀର ଚନ୍ଦନ ନଗର, ଚାଣକ୍ୟ ନଗର, ଖୋଡାସିଙ୍ଗିର କଳିଙ୍ଗ ନଗର, ପ୍ରେମ ନଗର, ଗାନ୍ଧୀ ନଗର ମୁଖ୍ୟରାସ୍ତା ଓ ଆସ୍କାରୋଡର ଅନେକ ଅଞ୍ଚଳ ଲୋଚାପଡା ମୁଖ୍ୟରାସ୍ତା, ସେଲଟେକ୍ସ ଛକ ରାସ୍ତା ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି । ଲଘୁଚାପ ଜନିତ ବର୍ଷା ନେଇ ପୂର୍ବ ସୂଚନା ସତ୍ୱେ ବିଭିନ୍ନ ସ୍ଥାନରେ ଡ୍ରେନେଜ ସଫେଇ ଓ ଡ୍ରେନେଜ ଗୁଡିକର ପୁନରୁଦ୍ଧାର କାର୍ଯ୍ୟରେ ବ୍ରହ୍ମପୁର ମହାନଗର ନିଗମର ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ତେବେ ଲୋକଙ୍କ ଦୁଃଖକୁ ବଢାଇ ଦେଇଛି ଜାନିବିଲି ପ୍ରକଳ୍ପର ନିର୍ମାଣ କାମ । ଲୋକଙ୍କୁ ପାଣି ଯୋଗାଇବା ନାମରେ ଯେଉଁ ରାସ୍ତାଘାଟ, ସାହିବସ୍ତି ଖୋଳି ବିଭିନ୍ନ ସ୍ଥାନରେ ଖାଲଢିପ ଏବଂ ଗର୍ତ ସୃଷ୍ଟି କରିଛନ୍ତି , ତାହା ଏବେ ବର୍ଷାଜଳରେ ଭର୍ତ୍ତି ହେବା ଯୋଗୁଁ ପଥଚାରୀଙ୍କ ଠାରୁ ଆରମ୍ଭ କରି ଗାଡିଚାଳକ ସମସ୍ତଙ୍କ ପାଇଁ ଏବେ ସମସ୍ୟା ପାଲଟିବା ସହିତ ଛୋଟବଡ ଦୁର୍ଘଟଣା ମାନ ଘଟିବାର ଆଶଙ୍କା ରହିଛି । ଜିଲ୍ଲାପାଳ ଓ ବିଏମସି କମିଶନର ଅଂଚଳ ବୁଲି ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here