ସଚେତନତା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ; ଭୂତପ୍ରେତର ପ୍ରମାଣ ଦେଲେ ମିଳିବ ୫୦ ହଜାର ଟଙ୍କା

0
711

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସକୁ ନେଇ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଅପରାଧିକ ଘଟଣାଗୁଡ଼ିକ ଘଟୁଛି। ଗଞ୍ଜାମ ଜିଲ୍ଲାରେ ଭୂତ,ପ୍ରେତ,ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଲୋକମାନେ ନିଜର ସମ୍ପତ୍ତି ବୃଦ୍ଧି ଓ ପାରିବାରିକ ଅଶାନ୍ତି ଦୂର କରିବା ଆଦି କାର୍ଯ୍ୟ, ପରିବାର ଲୋକଙ୍କ ରୋଗ ଭଲ କରିବା ପାଇଁ ଡାକ୍ତରଖାନା ନ ଯାଇ ଗୁଣିଆଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏପରିକି ଗୁଣିଆଙ୍କ ପ୍ରରୋଚନାରେ କେତେଜଣ ନିଜର ଜ୍ଞାତିକୁଟୁମ୍ବଙ୍କୁ ମଧ୍ୟ ବଳି ଦେଉଛନ୍ତି । ଅପରପକ୍ଷରେ ଗୁଣିଆ ମଧ୍ୟ ବିଭିନ୍ନ ମନଗଢା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଆର୍ଥିକ ଶୋଷଣ କରୁଛି। ତେଣୁ ଏଭଳି ସମସ୍ୟା ଦୂର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ନେଇ ଅନେକ ସମୟରେ ଅଭିଯୋଗ ଆସୁଛି। ଏହାର ସତ୍ୟତା ଓ ବାସ୍ତବତା ନେଇ ତଦନ୍ତ କରାଯାଉଛି। ମାତ୍ର ଏହା ପ୍ରମାଣିତ ହୋଇପାରୁ ନାହିଁ। ତେଣୁ ଯେଉଁ ବ୍ୟକ୍ତି ଗୁଣିଗାରେଡ଼ିକୁ ପ୍ରମାଣିତ କରିପାରିବେ ଅଥବା ଯିଏ ଭୂତ ଦେଖାଇ ଦେଇ ପାରିବ ସେ ୫୦ ହଜାର ଟଙ୍କା ପୁରସ୍କାର ପାଇବେ। ଜିଲ୍ଲାପାଳ ଏହି ପୁରସ୍କାର ରାଶି ସରକାରୀ କୋଷରୁ ନୁହେଁ ବରଂ ନିଜ ପକେଟରୁ ଦେବାକୁ ଘୋଷଣା କରିଛନ୍ତି। ଏପରି ଗୁଣିଗାରେଡି ସମ୍ପର୍କରେ ପ୍ରଶାସନ, ତହସିଲଦାର, ବିଡିଓ, ଜିଲ୍ଲା ଅଭିଯୋଗ ଶୁଣାଣି ନମ୍ବରକୁ ଫୋନ୍ କରି ଜନସାଧାରଣଙ୍କୁ ଜଣାଇବାକୁ କୁହାଯାଇଛି । ବୁଗୁଡା ବ୍ଲକର ଏକ ସ୍କୁଲ ପିଲାମାନେ ଏ ସବୁକୁ ବିଶ୍ୱାସ କରୁଥିବାରୁ ସେଠାକୁ ସ୍ୱତନ୍ତ୍ର ଟିମ୍ ପଠାଯାଇ ସେମାନଙ୍କର କାଉନସେଲିଂ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏଥିରେ ସ୍କୁଲ ଛାତ୍ରୀଛାତ୍ର, ଅଙ୍ଗନୱାଡିକର୍ମୀ, କଲେଜ ଛାତ୍ରୀଛାତ୍ର, ସାମାଜିକ କର୍ମୀଙ୍କୁ ସାମିଲ କରାଯିବା ସହ ଏମାନଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲାପାଳଙ୍କର ଏହି ପଦକ୍ଷେପ ପ୍ରଶଂସନୀୟ ।

LEAVE A REPLY

Please enter your comment!
Please enter your name here