ବିଦ୍ୟାଳୟରେ ପ୍ରେତାତ୍ମା ଭୟ; ଛାତ୍ରୀଙ୍କ ଅଜବ ବ୍ୟବହାରକୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ।

0
801

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ବିଦ୍ୟାଳୟରେ ଅଧ୍ୟାୟନରତ ଛାତ୍ରୀଙ୍କ ଅଜବ ବ୍ୟବହାର ପ୍ରଦର୍ଶନକୁ ନେଇ ପ୍ରେତାତ୍ମାର ଭୌତିକ କାଣ୍ଡ ଆଶଙ୍କାରେ ଚିନ୍ତାରେ ଉଭୟ ଶିକ୍ଷକ ଓ ଅଭିଭାବକ। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ଉଚ୍ଚବାଳିକା ବିଦ୍ୟାଳୟରେ। ଗତ ସୋମବାର ଦିନ ହଠାତ ବିଦ୍ୟାଳୟର ୭ଜଣ ଛାତ୍ରୀ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରି ଅଚେତ ହୋଇପଡିଥିବା ବେଳେ ଗତ କାଲି ମଙ୍ଗଳବାର ଦିନ ପୁଣି ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀଙ୍କ କ୍ଷେତ୍ରରେ ଏକା ସମସ୍ୟା ଦେଖାଯାଇଥିଲା। ବିଦ୍ୟାଳୟର ଜଣେ ଛାତ୍ରୀ କୌଣସି କାରଣରୁ ନିଜ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ଏବଂ ତାହା ପରଠାରୁ ବିଦ୍ୟାଳୟରେ ଛାତ୍ରୀଙ୍କ ମଧ୍ୟରେ ଏଭଳି ଘଟଣା ଘଟୁଥିବା ଜଣାପଡିଛି। ବିଦ୍ୟାଳୟରେ ସାଧାରଣତଃ ପରୀକ୍ଷା ଚାଲୁଥିବା ସମୟରେ କିମ୍ବା ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତି ଭଳି ଦିନମାନଙ୍କରେ ବିଦ୍ୟାଳୟରେ ଏଭଳି ଘଟଣା ହେଉଥିବା ଜଣାପଡିଛି। ଯାହା ଫଳରେ ଛାତ୍ରୀମାନେ ବିଦ୍ୟାଳୟକୁ ଆସିବାକୁ ଭୟଭିତ ହେଉଥିବା ଯୋଗୁଁ ସେମାନଙ୍କ ପାଠ ପଢ଼ାରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ବିଦ୍ୟାଳୟରେ ଏଭଳି ଭୌତିକ କାଣ୍ଡ ପୂର୍ବରୁ ଆତ୍ମହତ୍ୟା କରିଥିବା ଛାତ୍ରୀର ଅତୃପ୍ତ ଆତ୍ମାର କାରନାମା ବୋଲି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲରେ ଚିନ୍ତା ବଢ଼ିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here