ବ୍ରହ୍ମପୁର ବାଲୁଙ୍କେଶ୍ୱର ବାଣ ବଜାରରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ।

0
976

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଆଗକୁ ଆଲୋକର ପର୍ବ ଦୀପାବଳି।ଏଥିପାଇଁ ଦକ୍ଷିଣ ଓଡ଼ିଶାର ସର୍ବବୃହତ ବାଣ ବଜାର ବ୍ରହ୍ମପୁରର ବାଲୁଙ୍କେଶ୍ୱର ବାଣବଜାରରେ ସକ୍ରିୟ ହୋଇ ଉଠିଛନ୍ତି ବ୍ୟବସାୟୀ। ବ୍ରହ୍ମପୁରର ବାଲୁଙ୍କେଶ୍ୱର ବାଣ ବ୍ୟବସାୟୀ ସଂଘ ପକ୍ଷରୁ ନୀଳକଣ୍ଠେଶ୍ୱର ଅଂଚଳରେ ଚାଲିଥିବା ବାଣବଜାର ଉପରେ ଆଜି ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ହୋଇଛି ମିଳିତ ଚଢଉ। ସରକାରୀ ଲାଇସେନ୍ସ ନଥାଇ ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ଉଭୟ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଥିଲା। ତେବେ ପ୍ରସାଶନର ନୋଟିସର କୌଣସି ଉତ୍ତର ନରଖି ପାଲଟା ଦୋକାନ ବନ୍ଦ ରଖିଥିଲେ ବ୍ୟବସାୟୀ। ଫଳରେ ବାଧ୍ୟ ହୋଇ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ବାଣ ଦୋକାନର ତାଲା ଭାଙ୍ଗି ଷ୍ଟକ ଯାଞ୍ଚ କରି ଦୋକାନଗୁଡିକୁ ସିଲ କରି ଦେଇଥିଲେ ।
ଏହି ବାଣ ବଜାରରେ ମୋଟ ୪୮ଟି ବାଣ ଦୋକାନ ରହିଥିବା ବେଳେ ଗତବର୍ଷ ସେମାନଙ୍କୁ ଅସ୍ଥାୟୀ ଭାବେ କେବଳ ୩ଦିନ ପାଇଁ ପ୍ରସାଶନ ଅନୁମତି ଦେଇଥିଲା। ତେବେ ପ୍ରସାଶନ ପକ୍ଷରୁ ମିଳୁଥିବା ଅସ୍ଥାୟୀ ଲାଇସେନ୍ସ ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଥିଲେହେଁ ତାହା ମିଳିନଥିବା ସଂଘର ସଭାପତି ଏଙ୍କୁ ଗୌଡ଼ ସୂଚନା ଦେଇଛନ୍ତି। କିନ୍ତୁ କୌଣସିମତେ ବିନା ଲାଇସେନ୍ସରେ ବାଣ ମହଜୁଦ୍ ରଖିବା ଅଥବା ବିକ୍ରି କରିବାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାକୁ କଡାକଡି କାର୍ଯ୍ୟକାରୀ କରିବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଓ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here