ନୂଆ ରୂପରେ ରୂପାନ୍ତରିତ ହେଉଛି ଶ୍ରୀକ୍ଷେତ୍ର ପୂରୀ

0
804

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା /ଏଡିଟର ପ୍ରଣୟ କୁମାର ) : ଆଖି ଝଲସେଇ ଦେବା ପରି ନୂଆ ରୂପ ନେଉଛି ଶ୍ରୀମନ୍ଦିର। ସୁଉଚ୍ଚ ମେଘନାଦ ପ୍ରାଚୀର ଚାରିପଟ ଜବରଦଖଲ ମୁକ୍ତ ହେବା ସହ ସିଂହଦ୍ୱାର ସମ୍ମୁଖରୁ ମଧ୍ୟ କିଛି କିଛି ଜବରଦଖଲ ଏବଂ ବେଆଇନ ନିର୍ମାଣ ହଟିଛି । ଆସନ୍ତା ରଥଯାତ୍ରା ପୂର୍ବରୁ ନୂଆ ରୂପରେ ଐତିହ୍ୟ ସହର ଭାବେ ବାସ୍ତବ ରୂପ ନେଉଛି ଶ୍ରୀକ୍ଷେତ୍ର ପୂରୀ ।
ଫନିରେ ଧ୍ୱସ୍ତ ହୋଇଥିବା ପୁରୀକୁ ପୁନଃ ଐତିହ୍ୟ ସହରରେ ରୂପାନ୍ତରିତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵପ୍ନ ପୂରଣ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ତପ୍ତରତା ଓ ନିଷ୍ଠାର ସହ କାମ କରୁଛନ୍ତି । ଉଚ୍ଛେଦ କାମ ସହ ପୁରା ଜୋର ସୋରରେ ଆଗେଇ ଚାଲିଛି ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ।
ବର୍ଷ ବର୍ଷ ଧରି ଯେଉଁ ଅବହେଳା ହୋଇଥିଲା,ଏବେ ତାର ସଂଶୋଧନ ହେଉଛି ।ଶ୍ରୀମନ୍ଦିରର ବିରାଟକାୟ ସୌନ୍ଦର୍ଯ୍ୟପୂର୍ଣ୍ଣ ରୂପ ଏହାର ଚାରିପଟେ ଏବଂ ସମ୍ମୁଖ ଭାଗରେ ଜବରଦଖଲ ଯୋଗୁଁ ଲୁଚି ଯାଉଥିଲା । ବ୍ୟବସାୟିକ କାର୍ଯ୍ୟ କିମ୍ବା ବାସଗୃହ ଭାବେ ବ୍ୟବହୃତ ବେଆଇନ ନିର୍ମାଣ ଗୃହ ଉଚ୍ଛେଦ ପରେ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ପାଇଁ ବିରାଟ ଖାଲିସ୍ଥାନ ସୃଷ୍ଟି ହୋଇପାରିଛି ।ଉଚ୍ଛେଦ ପ୍ରକ୍ରିୟାର ତିନ ସପ୍ତାହ ମଧ୍ୟରେ ଚାରୋଟି ମଠ ଯଥା ଲଙ୍ଗୁଳି ମଠ,ଏମାର ମଠ,ବଡ ଆଖଡା,ସାନଛତା ମଠ ଏବଂ ଉଠାଦୋକାନୀଗୁଡିକୁ ଉଚ୍ଛେଦ କରାଯାଇଛି । ମଠର ବେଆଇନ ନିର୍ମାଣକୁ ହଟାଯାଇ ମୂଳ ମଠକୁ ଐତିହ୍ୟର ରୂପ ଦିଆଯିବ ଏବଂ ଏମାର ମଠରେ ରଘୁନନ୍ଦ ପାଠାଗାର ନିର୍ମାଣ ହେବ ।ପଥଚାରୀଙ୍କ ପାଇଁ ମୋବାଇଲ ଟଏଲେଟର ବ୍ୟବସ୍ଥା କରାଯାଇଛି ।

ବେଆଇନ ନିର୍ମାଣଗୁଡିକୁ ଭାଙ୍ଗି ଦିଆଯିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେବା ସହ ବିଶାଳକାୟ ମେଘନାଦ ପାଚେରୀ ସମ୍ପୁର୍ଣ୍ଣ ଭାବେ ମୁକ୍ତ ଦେଖାଯାଇ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ଅନତି ଦୂରରୁ ନିଳଚକ୍ର, ପତିତପାବନ ବାନା, ଆନନ୍ଦ ବଜାର, ରୋଷଘର ସବୁ କିଛି ଦେଖାଯାଉଛି । ସମ୍ପୁର୍ଣ୍ଣ ଭାବେ ନୂଆ ରୂପରେ ରୂପାନ୍ତରିତ ହେଉଥିବା ପୁରୀକୁ ଦେଖି ସ୍ଥାନାୟ ଲୋକ,ପର୍ଯ୍ୟଟକ,ଭକ୍ତ ଆକର୍ଷିତ ଓ ଉତ୍ସାହିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here