ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

0
115

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ଯାଲଘୁ ଏବଂ ପଛୁଆବର୍ଗ କଲ୍ଯାଣ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୁପେ ଯୋଗଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଗଞ୍ଜାମ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ସେମାନଙ୍କ ଅସୀମ ସାହସ ଓ ସାଲିସ ବିହୀନ ସଂଗ୍ରାମକୁ ନମନ କରିଥିଲେ । ନିଜ ବକ୍ତବ୍ୟରେ କହିଥିଲେଯେ, ଭାରତ ପରି ଏତେ ବଡ ଦେଶକୁ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ କରିବା ଏକ ବହୁତ ବଡ ଆହ୍ବାନ ଥିଲା । କିନ୍ତୁ ମହାନ ନାୟକ ମାନଙ୍କ ବିଜ୍ଞତା, ଜ୍ଞାନ ଓ ଅନୁଭୂତିକୁ ଆଧାର କରି ଅନେକ ତର୍କ ବିତର୍କ, ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ଭାରତୀୟ ସମ୍ବିଧାନ ଲେଖିଥିଲେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ । ଆମ ସମ୍ବିଧାନ ପୃଥିବୀର ସର୍ବ ବୃହତ୍ ଲିଖିତ ସମ୍ବିଧାନ । କୋଟିକୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ଅଭିପ୍ସା ଓ ସ୍ବପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନ । ରାଷ୍ଟ୍ରର ରାଜନୈତିକ, ସାମାଜିକ ଓ ଅର୍ଥ ନୈତିକ ଚିତ୍ର ଏଥିରେ ସ୍ପଷ୍ଟଭାବେ ପ୍ରତିଫଳିତ ହୋଇଛି । ଦେଶର ଆଇନ ଖସଡା କହିଲେ ସମ୍ବିଧାନକୁ ହିଁ ବୁଝାଯାଏ । କେବଳ କଳେବର ଦୃଷ୍ଟିରୁ ନୁହେଁ ଆଭିମୁଖ୍ୟ ଦୃଷ୍ଟିରୁ ମଧ୍ୟ ଆମ ସମ୍ବିଧାନର ସ୍ଥାନ ପୃଥିବୀର ବହୁ ଦେଶର ସମ୍ବିଧାନ ଠାରୁ ଅନେକ ଉର୍ଦ୍ଧ୍ବରେ । ଏଥିରେ ଥିବା ମୌଳିକ ଅଧିକାର ଗୁଡିକ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ କରିପାରିଛି ।
ଆମକୁ ସ୍ବାଧୀନତା ଏବଂ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ସହଜରେ ମିଳି ନାହିଁ । ଏଥିପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବିସର୍ଜନ କରିବାକୁ ପଡିଛି । ଆଜିର ଏହି ପବିତ୍ର ଦିବସରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭବାଇ ପଟେଲ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଶହୀଦ୍ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ବାଘାଜତୀନ୍, ବିଜୁପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସମ୍ବିଧାନ ଡ୍ରାଫ୍ଟିଙ୍ଗ କମିଟିର ଅଧ୍ୟକ୍ଷ ଡଃ ଭୀମାରାଓ ଆମ୍ବେଦକରଙ୍କ ସମେତ ଡଃ ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଏନ୍ ଗୋପାଳ ସ୍ବାମୀ, କେ.ଏମ୍. ମୁନ୍ସି, ମୌଲାନା ଆବୁଲ କାଲାମ୍ ଆଜାଦ୍, ବିଶ୍ବନାଥ ଦାଶ ଆଦି ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ/ସଦସ୍ୟା ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସ୍ବାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ମାନଙ୍କ ଅସୀମ ତ୍ୟାଗ, ସାହସ ଏବଂ ସାଲିସ୍ ବିହୀନ ସଂଗ୍ରାମ ଆଜି ମଧ୍ୟ ଓଡିଶାବାସୀଙ୍କ ଭିତରେ ଶିହରଣ ସୃଷ୍ଟିକରେ । ଘୁମୁସର ବିଦ୍ରାହ, ବେଲଗୁଣ୍ଠା ଓ ପାରଳା ଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ପଦଧ୍ବନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ ହେଉଛି । ଚକରା ବିଷୋୟୀ ଓ ଦୋରା ବିଷୋୟୀଙ୍କ ବୀରତ୍ବ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଗଞ୍ଜାମ ମାଟିର ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ବନାଥ ଦାଶ, ବାଞ୍ଛାନିଧି ପଟ୍ଟନାୟକ, ହରିହର ପଟ୍ଟନାୟକ, ଈଶ୍ବର ସାହୁ, କୁଞ୍ଜଲତା ଦେବୀ, ଘନଶ୍ୟାମ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ଶ୍ରୀ ରାମ ଚନ୍ଦ୍ର ମର୍ଦ୍ଦରାଜ, ନନ୍ଦ କିଶୋର ମିଶ୍ର, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀଙ୍କୁ ଏହି ଅବସରରେ ଭକ୍ତିପୂତ ପ୍ରଣାମ ଜଣାଇ ଥିଲେ ।
ଗଞ୍ଜାମର ମାଟି ହେଉଛି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳ କୃଷ୍ଣ ବାସୁଦେବ ରଥ ଶର୍ମାଙ୍କ ପରି ସାରସ୍ବତ ସାଧକଙ୍କୁ ଜନ୍ମ ଦେଇଛି ଏ ମାଟି । ଯେଉଁ ମାନେ ଓଡିଶା ସାହିତ୍ୟ ଓ ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ଗଞ୍ଜାମର ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରା ତାରିଣୀ, ଭୌରବୀ,ସିଦ୍ଧ ବିନାୟକ, ବୁଦ୍ଧଖୋଲ, ମହୁରୀକାଳୁଆ ଏବଂ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଗୋପାଳପୁର ସମୁଦ୍ର ବେଳାଭୂମି, ତାମ୍ପରାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଋଷିକୂଲ୍ୟା ନଦୀ ମୁହାଣରେ ଅଲିଭ୍ ରିଡଲେ କଇଁଛଙ୍କ ସମୁହିକ ଅଣ୍ଡାଦାନ ଦେଶ ବିଦେଶରେ ପର୍ଯ୍ୟଟକ ମାନଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି ।
ଆଜିର ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ୨୪ ଟି ଦଳ ଓ ଶାରୀରିକ କ୍ରୀଡାରେ ୨ ଟି ଦଳ ଅଂଶଗ୍ରହଣ କରିଥଲେ । ଜିଲ୍ଲାର ୬ ଟି ବିଭାଗ ତରଫରୁ ଉନ୍ନୟନମୂଳକ କାର୍ଯ୍ୟର ପ୍ରଦର୍ଶନ ନିମନ୍ତେ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍ ଅମୂଲ୍ୟ ନାୟକ, ସର୍ଜେଣ୍ଟ ଅଫ୍ ପୋଲିସ୍ ବିବେକାନନ୍ଦ ନାୟକ ପ୍ୟାରେଡ଼ ପରିଚାଳନା କରିଥିଲେ । ଆର୍ମଡ୍ ପୋଲିସ୍ ରିଜର୍ଭ ପ୍ଲାଟୁନ କମାଣ୍ଡର କ୍ରିଷ୍ଣପଦ ହାଁସଦା ଦାୟିତ୍ୱ ତୁଲାଇଥିଲେ । ଏହି ସମାରୋହରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଓ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିବା କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରୁ ଓ୍ବିନର୍ ଏବଂ ରନର୍ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ହାରା ମେମୋରିଆଲ୍ କପ୍ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକତସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି ଜାତୀୟ ଦିବସ ଉପଲକ୍ଷେ ପୂର୍ବାହ୍ନ ୧୧ ଘ. ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣ ମାଧ୍ୟମ ଏକାଦଶ ଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହନ୍ତ, ଜିଲ୍ଲା ଶିଳ୍ପ ବିଭାଗର ପରିଚାଳକ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନ ୩ ଘ. ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ଯା ସମ୍ମିଳନୀ କକ୍ଷରେ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବହୁଭାଷୀ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଓଡିଶାର ବିଶିଷ୍ଟ ସାହିତ୍ଯିକ ତଥା ପୂର୍ବତନ ସାଂସଦ ଅନାଦି ସାହୁଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଦିଲ୍ଲୀପ କୁମାର ପଲେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ, ଅବସରପ୍ରାପ୍ତ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡଃ କୈଳାଶ ଚନ୍ଦ୍ର ତ୍ରିପାଠୀ ଉଦ୍ଘାଟକ ଭାବେ ଏବଂ ପ୍ରାକ୍ତନ ପ୍ରାଧ୍ଯାପକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ । କବୟତ୍ରୀ ପଦ୍ମିନୀ ମିଶ୍ର କାର୍ଯ୍ଯକ୍ରମ ସଂଯୋଜନା କରିଥିବା ବେଳେ ଡଃ ଭି ରାଜେନ୍ଦ୍ର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here