ଏକତ୍ରିତ ହେଲେ ତିନି ବ୍ଲକ୍ ର ଚାଷୀ

0
126

ଗଂଜାମ: କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ବିଶ୍ଵନାଥ ଶୈବପୀଠ ଠାରେ ଜଳ ସୁରକ୍ଷା ସମିତିର ତୃତୀୟ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତିର ସମସ୍ତ କମିଟି ସଦସ୍ୟଙ୍କ ସମେତ ଦିଗପହଣ୍ଡି , କୁକୁଡ଼ାଖଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍ ର ବହୁ ଅଗ୍ରଣୀ ଚାଷୀ ଯୋଗଦାନ କରିଥିଲେ। ସମିତିର ଆବାହକ ତଥା କୃଷକ ନେତା ବୃନ୍ଦାବନ ଖଟେଇ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ଅବ୍ୟବହିତ ପୂର୍ବରୁ ପୂର୍ବ ବୈଠକର ବିବରଣୀ ସହ ଛେଳିଗଡ ଜଳ ସମ୍ପ୍ରସାରଣ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଦେବାପାଇଁ ବୈଠକରେ ଆଗତ ପ୍ରସ୍ତାବକୁ ଉପସ୍ଥିତ ଚାଷୀମାନେ ସମର୍ଥନ କରିଥିଲେ । ଏଥିପାଇଁ ଜଳ ସୁରକ୍ଷା ସମିତି ପ୍ରତ୍ୟେକ ଗ୍ରାମକୁ ଯାଇ ଚାଷୀଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ କୁ ତ୍ଵରାନିତ କରିବା ସହ ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟକ୍ରମ ସାରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା । ଏହାସହ ସମିତିର ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ଉପସ୍ଥିତ ଚାଷୀଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ସହ ପରବର୍ତ୍ତୀ ବୈଠକ ଦିଗପହଣ୍ଡି ବ୍ଲକ୍ ଗୋକର୍ଣ୍ଣପୁର ଠାରେ ଅନୁଷ୍ଠିତ କରିବା ପାଇଁ ସ୍ଥିର ହୋଇଛି । ଆଜିର ବୈଠକରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସମବାୟ ସେବା ସମିତିର ସଭାପତି କାହ୍ନୁ ଚରଣ ପାତ୍ର, ପୂର୍ବତନ ସରପଂଚ ବନମାଳୀ ଜେନା , ପାଣି ପଞ୍ଚାୟତ ସଭାପତି ଗୋବିନ୍ଦ ଗୌଡ଼ , ସାନଖେମୁଣ୍ଡି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ଅବସର ପ୍ରାପ୍ତ ଶିକ୍ଷକ ଗୁରୁନାଥ ବିଷୋୟୀ , ସୁବାସ ବେହେରା , ବି ସରସିଂହଙ୍କ ସମେତ ଜଳ ସୁରକ୍ଷା ସମିତିର ସମସ୍ତ କର୍ମକର୍ତ୍ତା ଆଜିର ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here