ସହୃଦୟତା ଦେଖାଇଲେ ଜିଲ୍ଲାପାଳ,ରାସ୍ତାରେ ଅଟକି ବୁଝିଲେ ଦୃଷ୍ଟିହୀନ ଦମ୍ପତିଙ୍କ ଦୁଃଖ

0
948

ନବରଙ୍ଗପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଧବାର ଦିନ ସକାଳେ ରାସ୍ତାରେ ଚାଲି ଚାଲି ଯାଉଥିଲେ ଏକ ଦୃଷ୍ଟିହୀନ ଦମ୍ପତି ସମ୍ବାରୁ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ଏବଂ ତାଙ୍କ କାନ୍ଧରେ ଥିଲା ଭିକ ମୁଣି ଓ ହାତରେ ଗୋଟିଏ ବାଡ଼ି | ଏହି ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଡାକ୍ତର ଅଜିତ କୁମାର ମିଶ୍ର ଏହି ରାସ୍ତାରେ ଯାଉଥିବା ବେଳେ ଦୃଷ୍ଟିହୀନ ଦମ୍ପତିଙ୍କ ଉପରେ ତାଙ୍କ ନଜର ପଡିଥିଲା | ଜିଲ୍ଲାପାଳ ସେମାନଙ୍କ ନିକଟକୁ ଯାଇ ତାଙ୍କ ଦୁଃଖ ଶୁଣିଥିଲେ | ଜାଣିବାକୁ ପାଇଥିଲେ ଯେ ସେମାନେ ତିନିଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ପାପଡାହାଣ୍ଡି ଡାକ୍ତରଖାନା ଯାଇଥିଲେ ଓ ସେଠାରୁ ଚିକିତ୍ସା ପାଇ ଘରକୁ ଚାଲି ଚାଲି ବହୁ କଷ୍ଟରେ ରାସ୍ତା ଠଉରାଇ ଫେରୁଥିଲେ କାରଣ କୌଣସି ବସ କିମ୍ବା ଗାଡି ସେମାନଙ୍କୁ ନେବାକୁ ରାଜି ହୋଇ ନ ଥିଲେ |

ତାଙ୍କର ଗାଁ ଖଇରା ଯାହାକି ପ୍ରାୟ ୧୨ କିଲୋ ମିଟର ଦୂର ଥିଲା | ଜିଲ୍ଲାପାଳଙ୍କ ପ୍ରଶ୍ନର ଉତ୍ତରରେ ଦମ୍ପତି ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଛନ୍ତି ବୋଲି କହିଥିଲେ କିନ୍ତୁ ସକାଳୁ କିଛି ଖାଇ ନାହାନ୍ତି ବୋଲି କହିଥିଲେ | ଏହା ଶୁଣି ଜିଲ୍ଲାପାଳ ତାଙ୍କୁ ବିସ୍କୁଟ ଓ ଫଳ ଖାଇବା ପାଇଁ ଦେଇଥିଲେ | ସରକାରୀ ସହାୟତା ମିଳୁଛି ନା ନାହିଁ ପଚାରି ବୁଝିଥିଲେ | ଉକ୍ତ ଦମ୍ପତିଙ୍କୁ ସରକାରୀ ଚାଉଳ ଓ ଭତ୍ତା ମିଳୁଛି କିନ୍ତୁ ଜମି ନ ଥିବାରୁ ଘର ମିଳିନାହିଁ | ତେଣୁ ସରକାରୀ ଜମି ଉପରେ ଝାଟିମାଟି କୁଡ଼ିଆଟି କରି ରହୁଛନ୍ତି ବୋଲି କହିଥିଲେ | ଏହା ଶୁଣି ଘରଡ଼ିହ ତଥା ଆବାସ ଘର ଯୋଗାଇବା ପାଇଁ ପାପଡାହାଣ୍ଡି ବିଡ଼ିଓଙ୍କୁ ନିର୍ଦ୍ଧେଶ ଦେବେ ଓ ଆସନ୍ତା ତିନି ମାସ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଜିଲ୍ଲାପାଳ | ଜିଲ୍ଲାପାଳଙ୍କ ଏହି ପରି ମାନବିକତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି |

LEAVE A REPLY

Please enter your comment!
Please enter your name here