ଜାତୀୟ ସ୍ତର ବିଜ୍ଞାନ ମେଳାରେ ଭାଗ ନେବେ ଦଶମ ଶ୍ରେଣୀ ଛାତ୍ର କପିଲ୍

0
149

ଦିଗପହଣ୍ଡି – ପଞ୍ଜାବ ପ୍ରଦେଶର ଅମୃତସର ଠାରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀ ଛାତ୍ର ଏଲ୍ . କପିଲ । ଦିଗପହଣ୍ଡି ସହରର ଜଣାଶୁଣା ବ୍ୟବସାୟୀ ଏଲ୍ . ଭେଙ୍କଟ ଓ ଏଲ୍ . ମିଲିଙ୍କ ଏକମାତ୍ର ପୁତ୍ର କପିଲ୍ ଜଣେ ମେଧାବୀ ଛାତ୍ର ଭାବେ ପରିଗଣିତ । ନିକଟରେ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଗତ ଦୁଇଦିନ ଧରି ଆୟୋଜିତ ହୋଇଥିବା କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର କପିଲ୍ ଅଂଶ ଗ୍ରହଣ କରିଥିଲେ । ଏପରିକି ସେ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ‘ ଖାଦ୍ୟ ସଂରକ୍ଷଣ ‘ ଶୀର୍ଷକ ପରିବେଷଣ କରିଥିଲେ । ଯାହାକି ଉପସ୍ଥିତ ବିଚାରକ ମଣ୍ଡଳୀଙ୍କୁ ଖୁବ୍ ଆକର୍ଷିତ କରିପାରିଥିଲା । ଯାହାଫଳରେ ଏହି ପ୍ରକଳ୍ପକୁ ଶ୍ରେଷ୍ଠ ପ୍ରକଳ୍ପର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ଅତିଥିମାନେ ଜାତୀୟ ସ୍ତର ବିଜ୍ଞାନ ମେଳା ନିମନ୍ତେ ଚୟନ କରିଥିଲେ । ପରିଶେଷରେ ଅତିଥି ମାନେ ପୁରସ୍କାର ବିତରଣ ସହ ଉଜ୍ଜ୍ୱଳ କାମନା ଜଣାଇଥିଲେ । ଏହି ଖବର ପ୍ରଚାରିତ ପରେ ଦିଗପହଣ୍ଡି ସହରରେ ନିଶ୍ଚିତ ଭାବରେ ଏକ ପ୍ରକାର ଖୁସିର ଲହରୀ ଦେଖିବାକୁ ମିଳିଥିବା ବେଳେ ଦିଗପହଣ୍ଡି ସହର ପାଇଁ ଗୈାରବ ବୋଲି ସାଧାରଣରେ ଲୋକମାନେ ମତ ଦେଇଥିଲେ । ଏହି ଅବସରରେ ଶନିବାର ଦିନ ସ୍ଥାନୀୟ ବିଦ୍ୟାମନ୍ଦିର ପକ୍ଷରୁ ଛାତ୍ର କପିଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ର , ବିଦ୍ଯାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ , ସଂପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ ସମେତ ଆଚାର୍ଯ୍ୟ ଆଚାର୍ଯ୍ୟା , କାର୍ଯ୍ୟକର୍ତ୍ତା , ବିଭାଗ ଓ ସଂଭାଗର ପଦାଧିକାରୀ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ପରିଶେଷରେ ଛାତ୍ର ଜଣକ ଏହି ସଫଳତାର ଶ୍ରେୟ ବିଦ୍ଯାଳୟ ପ୍ରଧାନ ଆଚାର୍ଯ୍ୟ , ବିଜ୍ଞାନ ବିଭାଗ ଆଚାର୍ଯ୍ୟ ଏବଂ ନିଜ ପରିବାର ସଦସ୍ୟଙ୍କୁ ଦେଇଥିଲେ ।ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here