ବିଏସଏସ ଓ ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍ ଶିବିର

0
155

ଛତ୍ରପୁର: ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା ସାଂସ୍କୃତିକ ସଂଘର ସମସ୍ତ ଉପ ସଭାପତି, ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ କଳାକାର ଗୁରୁ ମାନଙ୍କୁ ଆଜି ତା.୦୨.୦୯.୨୦୨୩ ଏବଂ ଆସନ୍ତା କାଲି ତା.୦୩.୦୯.୨୦୨୩ରିଖ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ତାଲିମ୍ ପ୍ରଦାନ କରାଯାଉଛି । ଏହି ଅବସରରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ତାଲିମ୍ ଶିବିରରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା କଳା ଓ ସାଂସ୍କୃତିକ ସଂଘର ସଭାପତି ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ ସାଧନ ସଭ୍ୟ ମାନଙ୍କୁ ସରକାରଙ୍କ ଜନହିତକର ଯୋଜନାର ସଫଳ ଋପାୟନ ନିମନ୍ତେ ପ୍ରଚାର ଓ ପ୍ରସାର ପାଇଁ ଜିଲ୍ଲାରେ ରହିଥିବା ପାରମ୍ପରିକ ଲୋକ କଳା ମାଧ୍ୟମରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ପରିବେଷଣ ପାଇଁ ଜଣାଇଥିଲେ । ଏହି ଅବସରରେ ଶ୍ରୀ ପରିଡା ପ୍ରଦୀପ ପ୍ରଜ୍ଜଳନ କରି ପ୍ରଥମ ଦିନ ପ୍ରଶିକ୍ଷଣର ଶୁଭାରମ୍ଭ କରି କହିଥିଲେଯେ, ପାରମ୍ପରିକ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରସାର ବେଳେ ଲୋକକଳା ଗୁଡିକର ମୌଳିକତା ଯେମିତି ନଷ୍ଟ ହେବନାହିଁ ଓ ଗ୍ରାମାଞ୍ଚଳର ଲୋକ ମାନଙ୍କ ପାଖରେ ଯେଭଳି ସଠିକ୍ ଭାବରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ତଥ୍ୟ ପହଞ୍ଚି ପାରିବ ଓ ଲୋକମାନେ ଯେପରି ଏଥିରୁ ଉପକୃତ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ତଥା ରାଜ୍ୟ ସ୍ତରୀୟ ସୂଚନା ଓ ଶିକ୍ଷା କାର୍ଯ୍ୟକ୍ରମର ରାଜ୍ୟ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନିଶଙ୍କ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଗଞ୍ଜାମ ଜିଲ୍ଲା ହେଉଛି କଳା ଓ ସଂସ୍କୃତିର ଏନ୍ତୁଡିଶାଳ । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ରମକୁ ଯେପରି ତ୍ବରାନ୍ବୀତ କରାଯାଇଛି ଅନ୍ୟ ଜିଲ୍ଲାରେ ସେପରି ହୋଇ ପାରିନାହିଁ । ଜିଲ୍ଲାରେ ଥିବା ୨୯୫ ଟି ସାଂସ୍କୃତିକ ଦଳ ଜିଲ୍ଲାର ୫୦୩ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପରିବେଷଣ କରିବେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ତାଲିମ୍ ଶିବିରର ଆଭିମୁଖ୍ୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଅଧିକରୁ ଅଧିକ କଳାକାର ଏହି ଯୋଜନାରେ କିଭଳି ବ୍ଲକ୍ ସ୍ତରରୁ ସାମିଲ୍ ହୋଇ ପାରିବେ ସେଥି ନିମନ୍ତେ ପ୍ରୟାସ କରିବା ପାଇଁ ବିଏସଏସଓ ଓ ଉପ ସଭାପତି ମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରାଧା କୃଷ୍ଣ ରାମ୍, ଜିଲ୍ଲା କଳା ସାଂସ୍କୃତିକ ସଂଘ ଉପସଭାପତି ସନ୍ତୋଷ କୁମାର ପାଢୀ ପ୍ରମୁଖ ମଞ୍ଚାସୀନ ରହି କଳାକାର ମାନଙ୍କୁ କଳା ପ୍ରଦର୍ଶନ ମାଧ୍ୟମରେ ସରକାରଙ୍କ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେହି ଦିଗରେ ଦିଗଦର୍ଶନ ଦେଇଥିଲେ । ମିଶନ୍ ଶକ୍ତି, ମମତା ଯୋଜନା, ମୋ ସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, ଆମ ଓଡିଶା ନବୀନ ଓଡିଶା, ୫-ଟି ହାଇସ୍କୁଲ ରୂପାନ୍ତରୀକରଣ, ମଧୁବାବୁ ପେନସନ୍ ଯୋଜନା, କ୍ରୀଡା ଓ ହକି ଉପରେ ସଚେତନତା ବାର୍ତ୍ତା ସମ୍ପର୍କରେ କଳାକାର ମାନଙ୍କୁ ଶିକ୍ଷା ବିଭାଗର ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ରାମ ଚନ୍ଦ୍ର ମହାରଣା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ମିଶନ୍ ଶକ୍ତି ଜିଲ୍ଲା ସଂଯୋଜକ ଶାସ୍ବତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ତଥା କଳାକାର ଓ ଉପସଭାପତି ଭଞ୍ଜନଗର ଜଗଦୀଶ ପାଣିଗ୍ରାହୀ, ବରିଷ୍ଠ କଳାକାର ବାଳକୃଷ୍ଣ ସାହୁ, ପ୍ରମୁଖ କଳା ପ୍ରଦର୍ଶନ ମାଧ୍ୟମରେ କିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ତାହା ଅବଗତ କରାଇଥିଲେ । ବରିଷ୍ଠ କଳାକାର ଆଲୋକ କୁମାର ବିଷୋୟୀ ଏବଂ ତାଙ୍କ ସାଥୀ କଳାକାରଗଣ ଘୁଡୁକି ନୃତ୍ୟ ପରିବେଷଣ କରି କଳା ପ୍ରଦର୍ଶନର ମାର୍ଗ ଦର୍ଶନ ଦେଇଥିଲେ ।
ଏହି ଶିବିରରେ ବିକେଏସଏସ ର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ବ୍ଲକ୍ ସ୍ତରରେ ତାଲିମ୍ ପ୍ରଦାନ କରିବେ । ଏଠାରେ ପ୍ରକାଶ ଥାଉକି, ଆସନ୍ତା ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୬ ଦିନ ଧରି ତାଲିମ୍ ପ୍ରାପ୍ତ କଳାକାରମାନେ ଗ୍ରାମ ମାନଙ୍କରେ ଲୋକକଳା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବେ ।

LEAVE A REPLY

Please enter your comment!
Please enter your name here