ପୂର୍ବତନ ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

0
290

ଗଞ୍ଜାମ: ଓଡ଼ିଶା ବିଧାନସଭା ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶନିବାର ସନ୍ଧ୍ୟା ସାଢ଼େ ୭ ଘଣ୍ଟା ସମୟରେ ୭୫ ବର୍ଷ ବୟସରେ ପରଲୋକ ଘଟିଯାଇଛି । ଖବରନୁଯାୟୀ , ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରି ପ୍ରଥମ ଥର ପାଇଁ ସେ ବ୍ରହ୍ମପୁର ମ୍ୟୁନିସିପାଲଟି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଅଣ କଂଗ୍ରେସ ନେତା ଭାବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପରିଚିତ ଥିଲେ । ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରି ପରାଜିତ ହେବା ପରେ ୧୯୯୦ ମସିହାରେ ପ୍ରଥମ କରି ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଶକ୍ତି ବିଭାଗ ମନ୍ତ୍ରୀ ହୋଇ ବିଭାଗର ବହୁ ସଂସ୍କାର ମୂଳକ କାର୍ଯ୍ୟ କରିଥିଲେ । ୨୦୦୯ ରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ ସେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ରାଜସ୍ଵ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ୨୦୧୪ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ସେ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି ସେ ମୋହନା ନିର୍ବାଚନ ମଣ୍ଡଳୀରୁ ୪ ଥର ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ବାଚସ୍ପତି ଆସନ ଅଳଙ୍କୃତ କରି ରାଜ୍ୟ ରାଜନୀତିରେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦିତ କରିଥିଲେ । ପରେ ଶାରିରୀକ ଅସୁସ୍ଥତା କାରଣରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁବିଧ ବିକାଶରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ । ଛେଳିଗଡ଼ ଜଳସେଚନ ଯୋଜନା ସମେତ ଅନେକ କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟକ୍ଷମ ପାଇଁ ସେ ବହୁବାର ଉଦ୍ୟମ କରିଥିଲେ । ଗଞ୍ଜାମ ରାଜନୀତିରେ ସେ ଜଣେ ହେଭିୱେଟ ରାଜନୀତିଜ୍ଞ ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ , ଉଦୟ ନାଥ ସ୍ୱାଇଁ , ଭି. ରବି ନାରାୟଣ ରାଜୁ , ବିଜେଡ଼ି ଗଞ୍ଜାମ ଜିଲ୍ଲା କମିଟି ଉପସଭାପତି ବି. କ୍ରିଷ୍ଣା ରାଓ ସୁବୁଦ୍ଧି , ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡ , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ ସମେତ ବହୁ ସରପଞ୍ଚ , ପୂର୍ବତନ ସରପଞ୍ଚ ଓ ଦଳୀୟ କର୍ମୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here