ଅଗଷ୍ଟ ୩୧ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ନିର୍ବାଚନ

0
431

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଆକସ୍ମିକ ବିୟୋଗ ପରେ ଖାଲି ପଡିଥିବା ପଦବୀ ପାଇଁ ନିର୍ବାଚନ କେବେ ହେବ ବୋଲି ବ୍ଳକ ବାସୀଙ୍କ ମଧ୍ୟରେ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ଶେଷରେ ଗୁରୁବାର ସନ୍ଧ୍ୟାରେ ଅଗଷ୍ଟ ୩୧ ରେ ବ୍ଳକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚିଠି ନଂ ୨୮୨୪ ଅନୁସାରେ ବିଜ୍ଞପ୍ତି ପ୍ରକାଶ ପରେ ରାଜନୈତିକ ମହଲରେ ଏକ ଉଷ୍ମତା ପ୍ରକାଶ ପାଇଥିବା ଜଣାପଡିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ବିଜ୍ଞପ୍ତି ଜାରି ହୋଇଥିବା ସ୍ଥାନୀୟ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି । ଖବରପ୍ରକାରେ , ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟୁ ପରେ ପଦବୀ ହାତେଇବା ପାଇଁ ଦୁଇ ବିଜେଡି ଗୋଷ୍ଠୀ ବିପିନ ଓ ବିପ୍ଳବ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳୁଛି । ଯାହାକୁ ନେଇ ଉଭୟ ବ୍ଳକର ୨୫ ଜଣ ସମିତି ସଭ୍ୟ ମଧ୍ୟରୁ କିଛି ସଦସ୍ୟଙ୍କୁ ନିଜ ଦଳକୁ ଟାଣି ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନରେ ବିପ୍ଳବ ଗୋଷ୍ଠୀଙ୍କ ସମିତି ସଭ୍ୟ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସେଠୀ ତାଙ୍କ ପ୍ରତିଦ୍ବନ୍ଦୀ ଅସିତ କୁମାର ସାହୁଙ୍କୁ ୪୭୫ ଭୋଟରେ ପରାଜିତ କରିଥିଲେ । ଯାହାଫଳରେ ଏହି ନିର୍ବାଚନ ବିପ୍ଳବ ଓ ବିପିନ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ଆସନ୍ତା ୨୩ ତାରିଖରେ ବ୍ଳକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଗଷ୍ଟ ୩୧ ସକାଳ ୧୦ ଘଣ୍ଟା ସମୟରେ ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ , ୧୧ ଟାରୁ ଯାଞ୍ଚ , ୧୨ ଟା ପୂର୍ବରୁ ପ୍ରତ୍ୟାହାର , ସାଢେ ୧୨ ଟାରୁ ୨ ଟା ମଧ୍ୟରେ ମତଦାନ ପ୍ରକ୍ରିୟା ହେବ ବୋଲି ଚିଠିରେ ପ୍ରକାଶ ପାଇଛି । ପରିଶେଷରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ ବୋଲି ବିଡ଼ିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here