ଘୋଡାହଡ ଡ୍ଯାମରୁ ଜୟ ମଙ୍ଗଳ ଜଳସେଚନ ପ୍ରକଳ୍ପକୁ ପାଣି ଛଡାଗଲେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ

0
622

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ରେ ଥିବା ଘୋଡାହଡ ଜଳଭଣ୍ଡାରରୁ ନଦୀଯୋଗେ ହିଞ୍ଜିଳିକାଟୁର ଜୟ ମଙ୍ଗଳ ଜଳସେଚନ ପ୍ରକଳ୍ପକୁ ପାଣି ଛଡାଯିବା ନିଷ୍ପତ୍ତିକୁ ଶନିବାର ଦିନ ଘୋଡାହଡ ୨୧ ଗୋଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଓ ଚାଷୀମାନେ ଏହାକୁ ବିରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ଜଣାପଡିଛି । ଖବରପ୍ରକାରେ , ଘୋଡାହଡ ଜଳଭଣ୍ଡାର ପାଣି ଉପରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବହୁ ଚାଷୀ ନିର୍ଭରଶୀଳ । ତେବେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ବହୁ ଚାଷଜମିରେ ଚାଷ କାର୍ଯ୍ୟ ହୋଇପାରିନଥିବା ବେଳେ ଗତ ୨୫ ତାରିଖରେ ଜଳଭଣ୍ଡାରରୁ କେନାଲ ଯୋଗେ ପାଣି ଛଡାଯିବା ପରେ କେନାଲ ତଟବର୍ତ୍ତୀ ଚାଷଜମିରେ ଚାଷ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଘୋଡାହଡ ଜଳଭଣ୍ଡାର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୧୫.୦୮ ମିଟର ରହିଛି । ଏଭଳି ସମୟରେ ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ନ ହୁଏ ତେବେ ଜଳ ଅଭାବରୁ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ବହୁ ଚାଷଜମିରେ ମରୁଡି ଦେଖାଯିବାର ସମ୍ଭାବନା ଯଥେଷ୍ଟ ରହିଛି । ଯାହାକୁ ନେଇ ଚାଷୀମାନେ ଘୋଡାହଡ ଜଳଭଣ୍ଡାରର ପାଣିକୁ ଅନାଇ ରହୁଛନ୍ତି । ଏଭଳି ପରିସ୍ଥିତିରେ ଘୋଡାହଡ ଜଳଭଣ୍ଡାରରୁ ନଦୀ ମାଧ୍ୟମରେ ହିଞ୍ଜିଳିକାଟୁ ସେଚାଞ୍ଚଳକୁ ୫ ଦିନରେ ୨୧୫ ହେକ୍ଟମିଟର ଜଳ ଛାଡ଼ିବା ପାଇଁ ବ୍ରହ୍ମପୁର ଜଳସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଯାହାଫଳରେ ଆଜି ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂପାଦକ କିର୍ତ୍ତୀଚନ୍ଦ୍ର ଗୈାଡ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଣି ନ ଛାଡିବା ପାଇଁ ଜଳସେଚନ ବିଭାଗକୁ ଅବଗତ କରାଇଛନ୍ତି । ତେବେ କର୍ମକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ ଜଳସେଚନ ବିଭାଗ ପକ୍ଷରୁ ଅବମାନନା କରନ୍ତି ସମସ୍ତ କର୍ମଚାରୀ ପାଣି ପଞ୍ଚାୟତରୁ ଇସ୍ତଫା ପ୍ରଦାନ କରିବା ସହ ଆଗାମୀ ଦିନରେ ଜଳସେଚନ ବିଭାଗ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆଯିବ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ସହଦେବ ରେଡ୍ଡୀ , ସୁବାଷ ଚନ୍ଦ୍ର ପ୍ରଧାନ , ଜଗନ୍ନାଥ ପାତ୍ର , ଦିଲୀପ ପ୍ରଧାନ , ଚିତ୍ରସେନ ଗୈାଡ , ମୁରଲୀ ପାତ୍ର ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here