ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଘୋଡାହଡ ନଦୀଗଣ୍ଡ ପରିଦର୍ଶନରେ ପ୍ରଶାସନିକ ଅଧିକାରୀ

0
521

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଘୋଡାହଡ ଜଳଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ମାନଙ୍କରେ ବାରମ୍ବାର କୁମ୍ଭୀର ଆକ୍ରମଣ ପରେ ଶୁକ୍ରବାର ଦିନ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଜଳସେଚନ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ଏଥିସହ ଉତ୍ତେଜିତ ଗ୍ରାମବାସୀଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା କରି ଫେରିଥିବା ଜଣାପଡିଛି । ଖବରପ୍ରକାରେ , ବ୍ଳକ ଅଧିନସ୍ଥ ଖମ୍ବାରୀ ଗାଁ ନିକଟରେ ଥିବା ଘୋଡାହଡ ଡ୍ୟାମ ଏବଂ ନଦୀଗଣ୍ଡ ମାନଙ୍କରେ କୁମ୍ଭୀର ମାନେ ରହୁଥିବା ବେଳେ ଗତ କିଛି ଦିନ ହେଲା କୁମ୍ଭୀରଙ୍କ ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇପଡୁଥିଲା ଜଣାପଡିଛି । ଏପରିକି ଗତ ଜୁନ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ସେବକ ଟିକରପଡା ଗ୍ରାମର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଖମ୍ବାରୀ ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଯାହାଫଳରେ ଗ୍ରାମବାସୀ ଉତ୍ତେଜିତ ହୋଇ କୁମ୍ଭୀରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ପ୍ରଶାସନ ନିକଟରେ ଦାବି କରିଥିଲେ । ଯାହାକୁ ନେଇ ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ସଞ୍ଜୀବ କୁମାର ଦାସ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ୭ ଜଣିଆ ଯାଞ୍ଚ କମିଟି ଗଠନ ହୋଇଥିଲା । ଆଜି ମୁଖ୍ୟ ଯନ୍ତ୍ରୀ ସମେତ ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଗୋକୁଳ ଚନ୍ଦ୍ର ପାଢ଼ୀ , ଛେଳିଗଡ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଇଂ.ଉମେଶ ପଟ୍ଟନାୟକ , ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଇଂ. ଜୟଦୀପ ପଣ୍ଡା , ବ୍ରହ୍ମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ ପ୍ରହରାଜ , ହିଞ୍ଜିଳିକାଟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାସ , ଦିଗପହଣ୍ଡି ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏ . ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା , ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା , ତହସିଲଦାର ସିପକ କୁମାର ପାତ୍ର ପ୍ରମୁଖ ସେବକ . ଟିକରପଡା ନିକଟରେ ଥିବା ନଦୀଗଣ୍ଡ ପରିଦର୍ଶନ କରି ଘଟଣାସ୍ଥଳ ନିରୀକ୍ଷଣ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ କହିବା ପ୍ରକାରେ ଉକ୍ତ ନଦୀଗଣ୍ଡରୁ ପାଣି ଖାଲି କରାଗଲେ କୁମ୍ଭୀର ମାନେ ଅନ୍ୟତ୍ର ଚାଲିଯିବେ ବୋଲି ପ୍ରଶାସନିକ ଅଧିକାରୀଙ୍କ ନିକଟରେ କହିଥିଲେ । ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ଅଧିକାରୀ ମାନେ ନଦୀଗଣ୍ଡର ଉଭୟ ପାର୍ଶ୍ଵରେ କାନ୍ଥ କରି ଏକ ଚ୍ୟାନେଲ ଦ୍ବାରା ପାଣିକୁ ନଦୀକୁ ଛଡାଯିବା ନେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here