ଜିଲ୍ଲା ସ୍ତରୀୟ ନିର୍ଭୟ କଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ

0
225

ଛତ୍ରପୁର: ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଜିଲ୍ଲା ସ୍ତରୀୟ ନିର୍ଭୟ କଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ( ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ) ଉପରେ ଏକ ବୈଠକ ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଓ ଆକ୍ସନ୍ଏଡ୍ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତଙ୍କୁ ସ୍ବାଗତ କରିବା ସହ କହିଥିଲେଯେ, ଗଞ୍ଜାମରେ ୨୦୪୨ଗ୍ରାମ, ସହରାଞ୍ଚଳ ର ୨୬୬ଟି ଓ୍ବାର୍ଡ ଏବଂ ୨୨୧ଟି ପଞ୍ଚାୟତକୁ ଅଦ୍ୟାବଧି ବାଲ୍ୟ ବିବାହମୁକ୍ତ ଭାବରେ ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ଲିଙ୍ଗ ଅନୁପାତରେ ସମାନୁପାତୀ ରହିବା ଦରକାର । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଏବଂ ଚିକିତ୍ସାଳୟ ଅଧିକାରୀ ବାଲ୍ୟ ବିବାହ ରୋକିବା ନିମନ୍ତେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ସପ୍ତାହର ପ୍ରତ୍ୟେକ ଶନିବାର ଦିନ ମୋ ଗେହ୍ଲାଝିଅ ଓ ନିର୍ଭୟ କଢି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ବାଲ୍ୟ ବିବାହ ହେଉଥିବାର ଖବର ଦାତାଙ୍କୁ ପାଞ୍ଚ ହଜାରରୁ ବୃଦ୍ଧିକରି ଦଶ ହଜାର ଟଙ୍କା ପୁରସ୍କାର ରାଶି ଦେବା ସହ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫରୁ ୩୦ ଜଣ କିଶୋର କିଶୋରୀ, ଯେଉଁମାନେ ବାଲ୍ୟ ବିବାହକୁ ସାହାସର ସହିତ ନାଁ କରିଛନ୍ତି ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେଯେ, ଏହି ୩୦ ଜଣ ଆଗାମୀ ଦିନରେ ବ୍ଲକ୍ ସ୍ତରରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବେ । ଜିଲ୍ଲାର ସମସ୍ତ ଗ୍ରାମରେ ନିର୍ଭୟ କଢି ଏବଂ ଆଦ୍ବିକା କାର୍ଯ୍ୟକ୍ରମ ଜରିଆରେ ତିଆରି ହୋଇଥିବା କିଶୋର କିଶୋରୀ ସମୁହର ନେତୃତ୍ବ ବିକାଶ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ବାଲ୍ୟ ବିବାହକୁ ନାଁ କରି ଆଗକୁ ଆସିଛନ୍ତି ସେମାନଙ୍କର ଦକ୍ଷତା ବିକାଶ ଯେପରି ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ । ଜିଲ୍ଲାରେ ଥିବା ସମସ୍ତ ପୁରୋହିତ ମାନଙ୍କୁ ଏ ଦିଗରେ ସଚେତନ କରାଯିବ ଯଦି କଣସି ପୁରୋହିତ ବାଲ୍ୟ ବିବାହ କାର୍ଯ୍ୟରେ ସଂପୃକ୍ତ ରୁହନ୍ତି ତେବେ ଆଇନ୍ ଅନୁସାରେ ଦଣ୍ଡିତ କରାଯିବ । ଜିଲ୍ଲାରେ ଥିବା କୁଳ ସମାଜ ଏବଂ ମନ୍ଦିର ପ୍ରଶାସକମାନଙ୍କୁ ବାଲ୍ୟ ବିବାହ ର କୁପରିଣାମ ସମ୍ପର୍କରେ ସଚେତନ କରାଯିବ ଏବଂ ବିବାହ ସମୟରେ ଉପଯୁକ୍ତ ଜନ୍ମ ପ୍ରମାଣ ପତ୍ର ଯାଂଚ୍ ପ୍ରକ୍ରିୟାକୁ କଡାକଡି କରପିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସଚେତନତାମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ଏହି ନିର୍ଭୟ କଢି ଓ ମୋ ଗେହ୍ଲାଝିଅ ଅଭିଯାନ ଏକ ସାମାଜିକ ଅଭିଯାନର ରୂପ ନେବ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଥିଲେ ।

ବେଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପ ଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ସଖୀ ଓ୍ବାନ୍ ଷ୍ଟପ୍ ସେଣ୍ଟର, ଚାଇଲ୍ଡ ଲାଇନ୍ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here