ଗାଧୋଉଥିବା ବେଳେ ପଞ୍ଚମ ଶ୍ରେଣୀ ଛାତ୍ରକୁ ଟାଣିନେଲା କୁମ୍ଭୀର : ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର ହେଲା ମୃତଦେହ

0
640

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଘୋଡାହଡ ନଦୀରେ ଗାଧୋଉଥିବା ବେଳେ ୫ ଶ୍ରେଣୀ ଛାତ୍ରକୁ ଏକ କୁମ୍ଭୀର ଟାଣି ନେଇଥିବା ବେଳେ ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର ହେଲା ମୃତଦେହ । ମୃତ ଛାତ୍ର ଜଣକ ହେଲେ ଖମ୍ବାରୀ ଗାଁ ପଞ୍ଚାୟତ ସେବକ . ଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୈାଡ ( ୧୧) ବୋଲି ପ୍ରାଥମିକ ସୂଚନା ମିଳିଛି । ଖବରନୁଯାୟୀ , ଶୁଭ୍ରାଂଶୁ ସୋମବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ବିଦ୍ଯାଳୟରୁ ଆସି ଗ୍ରାମ ନିକଟରେ ବହି ଯାଇଥିବା ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଏକ କୁମ୍ଭୀର ଛାତ୍ରକୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଶୁଭ୍ରାଂଶୁ ନ ଫେରିବା ଦେଖି ପରିବାର ଲୋକେ ନଦୀକୁ ଯାଇଥିଲେ । ସେଠାରେ ତାଙ୍କ ଡ୍ରେସ୍ ଓ ଚପଲ ରହିଥିବା ବେଳେ ଶୁଭ୍ରାଂଶୁ ନ ଥିଲେ । ଖବର ପ୍ରଚାରିତ ପରେ ନଦୀ ତୁଠ ଠାରୁ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର କେଉଟ ଲୋକମାନେ ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ । ଯାହାଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡି ପଳାଇଥିଲା । ଏପଟେ ଶୁଭ୍ରାଂଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ କରି ଆସୁଛନ୍ତି । ଅପରପକ୍ଷରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପକ୍ଷରେ କେ . ନୂଆଗାଁ ପୋଲିସ ମଧ୍ୟ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିପାରିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here