ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଦିଗପହଣ୍ଡି ବଡ଼ଦାଣ୍ଡ : ଶ୍ରଦ୍ଧାଳୁଙ୍କ ଭିଡ଼ରେ ଗୁଣ୍ଡିଚା ମନ୍ଦିରରେ ମହାବାହୁ

0
319

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଡ଼ଜାତ ତଥା ବଡଖେମୁଣ୍ଡି ଅଞ୍ଚଳର ଦିଗପହଣ୍ଡି ରଥଯାତ୍ରା ପ୍ରସିଦ୍ଧ ଯାତ୍ରା ମଧ୍ୟରେ ଅନ୍ୟତମ । ଗତକାଲି ପବିତ୍ର ଘୋଷ ଯାତ୍ରା ଅବସରରେ ରାଜ୍ୟସାରା ଶ୍ରୀ ବଳଦେବ , ଶ୍ରୀ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତିକାନ୍ତି ଶେଷପରେ ଅପରାହ୍ନରେ ରଥ ଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କିନ୍ତୁ ଏଠାରେ ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଶ୍ରୀ ଗୁଣ୍ଡିଚା ଯାତ୍ରାର ଦିନକ ପରେ ରଥ ଟଣା ହୋଇଥାଏ । ତେବେ ଆଜି ରଥ ଟଣା ସମୟରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ଦିଗପହଣ୍ଡି ବଡ଼ଦାଣ୍ଡ । ପ୍ରବଳ ଭକ୍ତଙ୍କ ସମାଗମ ମଧ୍ୟରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାବାହୁ । ମଙ୍ଗଳବାର ଦିନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ପ୍ରାୟ ସାଢେ ୬ ଟାରେ ମଙ୍ଗଳ ଆଳତି କରାଯିବା ପରେ ମଇଲମ , ତଡ଼ପଲାଗି , ରୋଷହୋମ , ଅବକାଶ , ସୂର୍ଯ୍ୟପୂଜା , ଦ୍ଵାରପାଳ ପୂଜା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବେଶ ପକାଇ ପୂଜାର୍ଚ୍ଚନା ଭୋଗ ଲାଗିଥାଏ । ପୂର୍ବରୁ ରଥ ଖଳାରେ ରଥ ପ୍ରତିଷ୍ଠା ହୋଇ ସାରିଥିବା ବେଳେ ଅପରାହ୍ନରେ ମଙ୍ଗଳାର୍ପଣ ନୀତି କାନ୍ତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ପହଣ୍ଡି ଶେଷ ହୋଇଥିଲା । ସେହିପରି ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ସନ୍ଧ୍ୟାରେ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା । ଆଜି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥ ଟାଣିବା ପାଇଁ ଉତ୍ସାହ ରହିଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମରେ ରଥକୁ ଟଣାଯାଇ ଗୁଣ୍ଡିଚା ମନ୍ଦିର ପହଞ୍ଚିଥିଲା । ଏହାପରେ ଦଧିବାମନ ମହାପ୍ରଭୁଙ୍କ ରଥକୁ ମଧ୍ୟ ଟଣା ଯାଇଥିଲା । ଅପରପକ୍ଷରେ ଗତକାଲି ଅପରାହ୍ନରେ ଦିଗପହଣ୍ଡି ଜନତା ଲେନ ସ୍ଥିତ ଶ୍ରୀ ପତିତ ପାବନଙ୍କ ନୀତିକାନ୍ତି ପୂଜାର୍ଚ୍ଚନା ପରେ ରଥ ଟଣା କାର୍ଯ୍ୟ ସରିଥିଲା । ସେହିପରି ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି , ସିଦ୍ଧେଶ୍ୱର , ବମକେଇ , ବାସୁଦେବପୁର , ଗୋକର୍ଣ୍ଣପୁର , ଫାସିଗୁଡ଼ା , ପଦ୍ମନାଭପୁର , ଭ୍ରମରପୁର , ଜକମେରୀ ପଲ୍ଲୀ ପ୍ରଭୃତି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ରଥଯାତ୍ରା ଅନୁଷ୍ଠିତ ହେବା ସହ ରଥଟଣା କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ସମ୍ପନ୍ନ ହୋଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here