ରାଜନୈତିକ ଶତ୍ରୁତାକୁ ନେଇ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର : ଥାନାରେ ଏତଲା , ଏସ୍ ପିଙ୍କ ଘଟଣାସ୍ଥଳ ପରିଦର୍ଶନ

0
529

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମ୍ବାରୀ ଗାଁ ର ପୂର୍ବତନ ସମିତି ସଭ୍ୟ ପ୍ରତିନିଧି ତଥା ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ଉଦବେଗ ପ୍ରକାଶ ପାଇଛି । ରାଜନୈତିକ ଶତ୍ରୁତାକୁ ନେଇ ବିଜେଡି ନେତାଙ୍କୁ ଜାଣିଶୁଣି କାର ମଡାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ କେ . ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ପରଠାରୁ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ବୁଧବାର ସକାଳୁ ବ୍ରହ୍ମପୁର ଏସ୍ ପି ଶ୍ରବଣ ବିବେକ ଏମ୍ ସମେତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଖୋଳତାଡ଼ କରିଥିବା ଜଣାପଡିଛି । ଖବରନୁଯାୟୀ , ପଞ୍ଚାୟତ ନିର୍ବାଚନ ପରଠାରୁ ଦୁଇ ବିଜେଡି ଗୋଷ୍ଠୀ କନ୍ଦଳ ଯୋଗୁଁ ବ୍ଳକ ଅଧିନସ୍ଥ ସିନ୍ଧବା ଏବଂ ନବରଙ୍ଗପୁର ଗ୍ରାମରେ ଦୁଇ ଦୁଇଟି ନୀରିହ ଲୋକଙ୍କୁ ହତ୍ୟା କରାଯାଇଥିଲା । ଗତ କିଛି ମାସ ପୂର୍ବେ ସହଦେବ ଟିକରପଡାରେ ମଧ୍ୟ ଦୁଇ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣକ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୫ ଟି ମୁଣ୍ଡ ଗଡ଼ି ସାରିଥିଲେ ସୁଦ୍ଧା ଗତକାଲି ପୁଣି ଜଣେ ଉଦୀୟମାନ ବିଜେଡି ନେତାଙ୍କୁ ଷଡ଼ଯନ୍ତ୍ର କରି ଜାଣିଶୁଣି ଗାଡ଼ି ମଡାଇ ହତ୍ୟା କରାଯାଇଛି ଯାହାକି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ , ମଙ୍ଗଳବାର ସନ୍ଧ୍ୟାରେ ଖମ୍ବାରୀ ଗାଁ ପଞ୍ଚାୟତ ଶଙ୍କରଖାଳି ଛକଠାରେ ଲଳିତ ମୋହନ ଏବଂ ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇ ମାରପିଟ ହୋଇଥିଲା । ଉପସ୍ଥିତ କିଛି ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ଛଡାଇଥିଲେ । ସେଠାରୁ ଲଳିତ ମୋହନ ନିଜ ବୁଲେଟ୍ ଗାଡ଼ିରେ ଖମ୍ବାରିଗାଁ ଘରକୁ ଫେରୁଥିଲେ । ତେବେ ଉତ୍ଯକ୍ତ ଅବସ୍ଥାରେ ରହିଥିବା ରାମକୃଷ୍ଣ ହତ୍ୟା ଉଦ୍ଦେଶ୍ୟରେ ନିଜ କାରରେ ଲଳିତ ମୋହନଙ୍କୁ ପିଛା କରିଥିଲେ । ଖମ୍ବାରିଗାଁ ହାଇସ୍କୁଲ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ଯବର୍ତ୍ତୀ ସ୍ଥାନରେ ରାମକୃଷ୍ଣଙ୍କ କାର୍ ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେବାପରେ ମୋହନ ରାସ୍ତା କଡରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଯାଇଥିଲେ । ଘଟଣା ସ୍ଥଳରୁ ନିଜେ ରାମକୃଷ୍ଣ ଲଳିତ ମୋହନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଆଣି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହାପରେ ରାମକୃଷ୍ଣ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ବେଡରେ ଲଳିତ ମୋହନଙ୍କୁ ଏକାକୀ ଛାଡିଦେଇ କାର ଯୋଗେ ଫେରାର ହୋଇଯାଇଥିଲେ । ଘଟଣା ପରେ ଲଳିତ ମୋହନଙ୍କ ସମ୍ପର୍କୀୟ ଓ ବହୁ ବିଜେଡି ନେତା ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚିଥିଲେ ।ଦିଗପହଣ୍ଡି ଆଇଆଇସି ଦିପ୍ତିରଞ୍ଜନ ବେହେରା ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ପ୍ରତ୍ଯକ୍ଷଦର୍ଶୀଙ୍କ ଠାରୁ ସୂଚନା ସଂଗ୍ରହ କରି ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଜଣାଇବା ପରେ କେ.ନୂଆଗାଁ ପୋଲିସ ଟିମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଥିଲେ । ତେବେ ଆଜି ବ୍ରହ୍ମପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା । ଏନେଇ ଆଜି ଲଳିତଙ୍କ ଭାଇ ରଜତ ମହାପାତ୍ର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୧୧/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ କରିଥିବା ଜଣାପଡିଛି । ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ.ନୂଆ ଗାଁ ଥାନା ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି । ଅନ୍ୟପକ୍ଷରେ ଏଭଳି କଟୁ ରାଜନୀତି ଯୋଗୁଁ ଆଉ କେତେ ନୀରିହ ଲୋକଙ୍କ ମୁଣ୍ଡ ଗଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଦୃଢ଼ ନିନ୍ଦା ମଧ୍ୟ କରିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here