ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ନିମନ୍ତେ ବୈଠକ

0
165

ଛତ୍ରପୁର: ରାଜ୍ୟ ସରକାର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର ନିମନ୍ତେ ଅଭିଯାନ ଜାରି ରଖିଛନ୍ତି । ରାଜ୍ୟରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ଏହି ଅଭିଯାନ ର ଅନ୍ୟ ଏକ ମାଧ୍ୟମ । ଏନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲାର ସହରାଂଚଳର ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କ ସମ୍ମୁଖରେ ଓଡିଆ ଭାଷାରେ ସ୍ପଷ୍ଟ ଭାବରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସମନ୍ୱିତ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସହରାଂଚଳ ଗୁଡିକରେ ପ୍ରତ୍ୟେକ ଦିନ ବୁଲୁଥିବା ସଫେଇ ଗାଡି ମାଧ୍ୟମରେ ଏନେଇ ପ୍ରଚାର କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ନିର୍ଦ୍ଦେଶ ଦେଇଛନ୍ତି । ୧୯୫୬ ଧାରା ୪ ସଂଶୋଧନ କରାଯାଇ ପ୍ରତ୍ୟେକ ଅନୁଷ୍ଠାନ ମାନଙ୍କ ସମ୍ମୁଖରେ ଓଡିଆ ଭାଷାରେ ଲିଖିତ ନାମଫଳକ ପ୍ରଦର୍ଶନ କରିବା ବାଧ୍ୟତା ମୂଳକ କରାଯାଇଛି । ଏହାର ଖିଲାପ କଲେ ଅନୁଷ୍ଠାନର ମାଲିକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମକଦ୍ଦମା ଦାଏର କରାଯିବ । ପ୍ରଥମଥର ଖିଲାପକାରୀ ମାନଙ୍କ ନିମନ୍ତେ ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ଖିଲାପକାରୀ ମାନଙ୍କ ନିମନ୍ତେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଆୟୋଜିତ ଏହି ବୈଠକରେ ଜିଲ୍ଲାର ବହୁ ସହରାଂଚଳର ଅଧିକାରୀ ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଏ ବିଷୟରେ ବ୍ରହ୍ମପୁର ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ଛତ୍ରପୁର ଶ୍ରମ ଜିଲ୍ଲାରେ ୫୭୨ ଏବଂ ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟ ଅଧିନରେ ୧୨୪୦ ଗୋଟି ଅନୁଷ୍ଠାନ ଗୁଡିକୁ ପଞ୍ଜୀକରଣ କରାଯାଇ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରାଯାଇଛି । ଏହି ବୈଠକରେ ଆସିକା ଇଓ, ସୋରଡା ଇଓ, ବେଲଗୁଣ୍ଠା ଇଓ, ଛତ୍ରପୁର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ବଡବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ କୁମାର ରାଉଳ, ଗ୍ରୋସୋରୀ ମାଲିକ ସଂଘର ସଭାପତି ସୟଦ ମୁକ୍ତାର, କେ. ଋମେଶ, ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ଏଏଲଓ ରଶ୍ମିରେଖା ପଣ୍ଡାଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here