ଦୀର୍ଘ ୨୬ ଘଣ୍ଟା ପରେ ପୋଖରୀରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

0
222

ବ୍ରହ୍ମପୁର :ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ନୂଆବନ୍ଧ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିପଲ୍ଲୀ ରେଡ୍ଡୀକା ସାହିର ସଦାନନ୍ଦ ବେହେରା(୫୫) । ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ସଦାନନ୍ଦଙ୍କ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି । ଏହି ଘଟଣାରେ ବୈଦ୍ୟନାଥପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ସଦାନନ୍ଦ ଗତକାଲି ଅପରାହ୍ନ ୧୨ଟା ସମୟରେ ନୂଆବନ୍ଦ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଉଥିବା ସମୟରେ ସ୍ଥାନୀୟ କିଛି ଲୋକେ ଦେଖିଥିବା କହିଛନ୍ତି। ହେଲେ ଅନେକ ସମୟ ଯାଏଁ ସଦାନନ୍ଦ ଘରକୁ ଫେରିନଥିଲେ । ଯାହା ଫଳରେ ପରିବାର ଲୋକେ ସେହି ପୋଖରୀ ନିକଟରେ ପହଞ୍ଚି ଦେଖିବା ବେଳେ ପୋଖରୀ ହୁଡ଼ାରେ ସଦାନନ୍ଦଙ୍କ ଚପଲ ଏବଂ ଗାମୁଛା, ପ୍ୟାଣ୍ଟ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । କିନ୍ତୁ ସନ୍ଦେହରେ ଆଖପାଖ ଅଞ୍ଚଳ ମଧ୍ୟ ଖୋଜାଖୋଜି କରିବା ପରେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ ଉପୁଜିଥିଲା ।ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ପୁଲିସ ଓ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ କର୍ମଚାରୀ ପହଞ୍ଚି ପୋଖରୀ ଭିତରେ ୪ ଘଣ୍ଟା ପର୍ଯ୍ୟନ୍ତ ସଦାନନ୍ଦଙ୍କୁ ଖୋଜିଥିଲେ ହେଲେ ତାଙ୍କ ପତ୍ତା ମିଳିନଥିଲା । ପୁଣି ଆଜି ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ହନୁମାନ ମନ୍ଦିର ନିକଟସ୍ଥ ପଖୋରୀ ତୁଠରେ ସଦାନନ୍ଦଙ୍କ ମୃତ ଦେହ ଲାଗିଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ ବିଭାଗୀୟ କର୍ମଚାରୀମାନେ ଅକ୍ସିଜେନ କ୍ୟାପ୍ ବ୍ୟବହାର କରି ସଦାନନ୍ଦଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗୀୟ କର୍ମଚାରୀମାନେ ଗତକାଲି ଠାରୁ ଦୀର୍ଘ ୨୬ ଘଣ୍ଟା ଧରି ଚେଷ୍ଟା କରିବା ପରେ ଉକ୍ତ ପୋଖରୀରୁ ସଦାନନ୍ଦଙ୍କ ମୃତ ଦେହକୁ ଉଦ୍ଧାର କରି ପୁଲିସ ସହାୟତାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି । ଉଦ୍ଧାର ବେଳେ ବ୍ରହ୍ମପୁର ଅଗ୍ନିଶମ ବିଭାଗର ହାବିଲଦାର ରାଜେଶ ମଲ୍ଲିକ, ଜିତେନ୍ଦ୍ର ସାହାଣୀ, ତାପସ ପ୍ରଧାନ, ଏସ୍ କେ ରେହେମାନ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here