ବନ ବିଭାଗ ପକ୍ଷରୁ ବାଉଁଶ କାରିଗର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
238

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବାଉଁଶ କାରିଗର ଏବଂ ବନ କର୍ମଚାରୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଅତିରିକ୍ତ ବନ ସଂରକ୍ଷକ ଡ. ରୁଦ୍ର ପ୍ରସାଦ ରଥ, ଅବସରପ୍ରାପ୍ତ ଅତିରିକ୍ତ ବନ ସଂରକ୍ଷକ ତ୍ରିନାଥ ପଟ୍ଟନାୟକ, ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର, ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ମଞ୍ଚାସିନ ଥିଲେ । ସେହିପରି ଜାତିୟ ବାଉଁଶ ମିଶନ (ଏନବିଏମ) ଯୋଜନା ଅନ୍ତର୍ଭୂକ୍ତ ଆୟୋଜିତ ଶିବରରେ ଏନବିଏମର ସଦସ୍ୟ ପୁଲକ କୁମାର, ସଞ୍ଜୟ କୁମାର ସାହୁ, ଯଶ୍ୱସିନି ବ୍ରହ୍ମା ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ବାମ୍ବୁଶା ଭଲଗାରିଆସ ଓ ବାମ୍ବୁଶା ଟୁଲଡା ନାମକ ଦୁଇଟି କିସମର ବାଉଁଶକୁ ବାଡିରେ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଜନ୍ମରୁ ମୁର୍ତ୍ୟୁ ପର୍ଯ୍ୟନ୍ତ ସବୁଠି ବାଉଁଶର ଆବଶ୍ୟକତା ରହିଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ଚାଷ କରିବା ପାଇଁ କେହି ଆଗବର ହେଉ ନାହାନ୍ତି । ଏହି ଶିବିରର ପ୍ରତ୍ୟେକ ବ୍ୟକ୍ତି କିପରି ନିଜ ବାଡିରେ ବାଉଁଶ ଚାଷ କରିପାରିବେ ସେ ନେଇ ପ୍ରଶିକ୍ଷକମାନେ ସେମାନଙ୍କୁ ବୁଝାଇଥିଲେ । ସେହିପରି ତିନି ବର୍ଷରେ ଜଣେ ବ୍ୟକ୍ତି ଗୋଟିଏ ବାଉଁଶ ଗଛ ପିଛା ୧୨୦ ଟଙ୍କା ସରକାରଙ୍କ ପକ୍ଷରୁ ସହାୟତା ରାଶି ପାଇପାରିବେ ବୋଲି ଅତିରିକ୍ତ ବନ ସଂରକ୍ଷକ ଶ୍ରୀ ରଥ କହିଥିଲେ । ବାଉଁଶ ଗଛର ସଂରକ୍ଷଣ ପାଇଁ ଏହି ପରି ଶିବିର ଗଞ୍ଜାମରେ ପ୍ରଥମ ଥର ଆୟୋଜିତ ହୋଇଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ଶିବିରର ମୁଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ କହିଛନ୍ତି । ଆଜିର ଏହି ଶିବିରରେ ଗଞ୍ଜାମ ଜିଲ୍ଲାର ୭୦ରୁ ଉର୍ଦ୍ଧ ବାଉଁଶ କାରିଗରଙ୍କ ସମେତ ବହୁ ବନପାଳ, ବନରକ୍ଷୀସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ । ସେହିପରି ବ୍ରହ୍ମପୁର ବନାଞ୍ଚଳର ବନପାଳ ବାବୁ ସେଠୀ, ପଞ୍ଚାନନ ପଣ୍ଡା, ରୁପକ କୁମାର ପ୍ରଧାନ, ଗିରିସ ରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here