ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ମାଟି ଓ ପାଣି ସଂଗ୍ରହ

0
232

ଛତ୍ରପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପରିଦର୍ଶନ ପୀଠ, ଜନ୍ମପୀଠ, ଶହୀଦ୍ ପୀଠରୁ ପବିତ୍ର ମାଟି ଓ ପ୍ରମୁଖ ନଦୀରୁ ପାଣି ସଂଗ୍ରହ କରାଯାଇ ଭୁବନେଶ୍ବର ପ୍ରେରଣ କରାଯାଉଛି । ସୂଚନାଯୋଗ୍ୟ, ଗାନ୍ଧୀ ଜୟନ୍ତୀ ଦିନ ସଚିବାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଏହି ମାଟି ଓ ପାଣିର ବ୍ୟବହାର କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାର ଦୁଇଟି ସ୍ଥାନରୁ ମାଟି ଯଥା ମଣ୍ଡଳ କାରାଗାର ସ୍ମତି ମନ୍ଦିର ପରିସର ଯେଉଁଠି ଅମର ଶହୀଦ୍ ଲକ୍ଷ୍ମଣ ନାୟକଙ୍କୁ ବନ୍ଦୀ କରି ରଖାଯାଇଥିଲା ଓ ତାଙ୍କୁ ଫାଶୀ ଦିଆଯାଇଥିଲା ଏବଂ ସ୍ବାଧୀନତା ସଂଗ୍ରାମୀ ଯେଉଁଠି ବନ୍ଦୀ ଥିଲେ ସେହି ସ୍ଥଳରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ଜେଲ୍ ସୁପରିନଟେଣ୍ଡେଣ୍ଟ ସତ୍ୟ ନାରାୟଣ ବେହେରା, ମଣ୍ଡଳ କାରାଗାରର ସମସ୍ତ କର୍ମଚାରୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ମାଟି ସଂଗ୍ରହ କରାଯାଇଥିଲା । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୂଜାର୍ଚ୍ଚନା ପରେ ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି । ଏହି ଜଳ ସଂଗ୍ରହ କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ସ୍ଥାନୀୟ ସାମ୍ବାଦିକଗଣ, ମନ୍ଦିର ପୂଜକ ବାପୁଜୀ ରଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ଓ ମନ୍ଦିରର ଅନ୍ୟାନ୍ୟ ପୂଜକ ମାନେ ଉପସ୍ଥିତ ଥିଲେ । ଏହାପରେ ଅନ୍ୟ ଏକ ସ୍ଥାନ ହୁମ୍ମା, ଯେଉଁଠି ଗାନ୍ଧିଜୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହ ହୋଇଥିଲା ସେଠାରୁ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା, ହୁମ୍ମା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାନକୀ ଦାସ, ସ୍ଥାନୀୟ ଜନ ପ୍ରତିନିଧି ଓ ସାମ୍ବାଦିକଗଣ ଙ୍କ ଉପସ୍ଥିତିରେ ପବିତ୍ର ମାଟି ସଂଗ୍ରହ କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ସଂଗୃହୀତ ମଣ୍ଡଳ କାରାଗାରର ପବିତ୍ର ମାଟି, ମା ତାରାତାରିଣୀ ପୀଠ ନିକଟସ୍ଥ ଋଷିକୂଲ୍ୟାରୁ ସଂଗୃହୀତ ଜଳ, ହୁମ୍ମା ଠାରେ ହୋଇଥିବା ଲବଣ ସତ୍ୟାଗ୍ରହ ସ୍ଥଳରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ସଂଗ୍ରହ ସ୍ଥଳ ଜୟଦେବ ଭବନ ଠାରେ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here