ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିବର୍ତ୍ତନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0
273

ବ୍ରହ୍ମପୁର:ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂତନ ପୋଲିସ ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ବେଳେ ସେଥିମଧ୍ୟରୁ ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ମଧ୍ୟ ଥାନାରେ ପରିଣତ କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।ଏ ନେଇ ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।ସଦର ଥାନା ଅଧୀନରେ ଏହି ନିମଖଣ୍ଡି ଫାଣ୍ଡି ରହିଥିବା ବେଳେ ଜଣେ ଏସଆଇ ଓ ଏଏସଆଇ ଙ୍କ ସମେତ କିଛି କର୍ମଚାରୀଙ୍କୁ ନେଇ ଫାଣ୍ଡି ଚାଲିଛି ।ତେବେ ଦୀର୍ଘ ଦିନ ଧରି ଏହି ଫାଣ୍ଡିକୁ ଥାନାରେ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା ।ନୂତନ ଥାନାରେ ପରିଣତ ହେବା ଦ୍ୱାରା ଜଣେ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ରହିବା ସହ ନୂତନ କର୍ମଚାରୀ ପଦବୀ ମଧ୍ୟ ସୃଷ୍ଟି ହେବ । ବର୍ତ୍ତମାନ ଏହି ଫାଣ୍ଡି ଅଧୀନରେ ଜଗଦଳପୁର, ନିମଖଣ୍ଡି, ବୋରିଗାଁ ,ଲୋଚାପଡା ,ଗୁରୁଣ୍ଠି, ହୁଗୁଳାପଟ୍ଟା,ଚଣ୍ଡିପଦର ,ରେଗିଡି ଛକ,ଝାଡ଼ାଙ୍କୁଲି, ଭାବିନୀପୂର,ଗୋବିନ୍ଦ ବିହାର, ଶକ୍ତି ନଗର,ବ୍ରଜନଗର,ଶ୍ରୀମା ନଗର ସମେତ ଅନ୍ୟ କିଛି ଅଞ୍ଚଳ ନିମଖଣ୍ଡି ଫାଣ୍ଡି ଅଞ୍ଚଳରେ ରହିଥିବା ବେଳେ ସଦରଥାନା ଅଧୀନରେ ଖାରବେଳ ନଗର, ନିଳାଞ୍ଚଳ ନଗର, ଅଳକାପୁରୀ,ସାତଖୁଟୁଣୀ,ବାସୁଦେବ ନଗର ଭଳି ଅନ୍ୟ କିଛି ଅଞ୍ଚଳ ମଧ୍ୟ ରହିଛି ।ତେବେ ଥାନା ଠାରୁ ଦୂରରେ କିଛି ଅଞ୍ଚଳ ରହୁଥିବା ବେଳେ ତାହାର ଫାଇଦା ଉଠାଇ ପୋଲିସକୁ ଚକମା ଦେଇ ଦିନ ଦିପ୍ରହରେ ତାଲା ପଡିଥିବା ଘରେ ଚୋରି କରିବାରେ ସକ୍ଷମ ହେଉଥିଲେ ଦୁର୍ବୁତ୍ତ ।ଫଳରେ ବହୁ ମାମଲାର ସମାଧାନ ଦିଗରେ ଅସୁବିଧା ହେଉଥିଲା ।ସେହିପରି ଚୋରା ମଦ,ଗୁଟକା,ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟରୁ ମହିଳା ଓ ଝିଅ ମାନଙ୍କୁ ଆଣି ଭଡାଘରେ ରଖି ଅନୈତିକ କାରବାରରେ ନିୟୋଜିତ କରାଉଛନ୍ତି ।ଏହି ସବୁ ଦିଗରୁ ନିମଖଣ୍ଡି ଫାଣ୍ଡି ଥାନାରେ ପରିଣତ ହେବା ଦ୍ଵାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ସହାୟକ ହେବ।ନିମଖଣ୍ଡି ଫାଣ୍ଡି ଥାନାରେ ପରିବର୍ତ୍ତନ ହେଉଥିବା ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳବାସି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସେହିଭଳି ଗଞ୍ଜାମ ପୋଲିସ ଜିଲ୍ଲାରେ ବେଗୁନିଆପଡା ଓ କୋଟିନଡ଼ା ଫାଣ୍ଡିକୁ ମଧ୍ୟ ଥାନାରେ ପରିବର୍ତ୍ତନ କରିବା ପାଇଁ ଅନୁମୋଦନ ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here