ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଥମ ମନ୍ତ୍ରୀ ଦେଖିଲା ବୁଗୁଡା ବ୍ଲକ

0
292

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ବିଭିନ୍ନ ସମୟରେ ପୂର୍ବ କୋଦଳା, ଜଗନ୍ନାଥ ପ୍ରସାଦ ( ସଂରକ୍ଷିତ) ଓ ପୋଲସରା ନିର୍ବାଚନ ମଣ୍ଡଳୀରେ ରହି ଆସିଥିବା ବେଳେ ୨୦୨୨ ଜୁନ ୫ ତାରିଖ ଦିନ ନିଜର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ଭାବେ ପ୍ରଥମ ଥର ଦେଖିବାର ସୁଯୋଗ ପାଇଛି। ପୂର୍ବ କୋଦଳା ନିର୍ବାଚନ ମଣ୍ଡଳୀରେ ବୁଗୁଡା ବ୍ଲକ ଥିବାବେଳେ ୧୯୫୨ ଓ ୧୯୫୭ ମସିହାରେ ନିର୍ବାଚିତ ଦୁଇ ବିଧାୟକ ଓଡିଶା ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ। ୧୯୬୧ ମସିହାରେ ବୁଗୁଡା ବ୍ଲକର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇ ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀର ରହିଲା। ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀ ହରିଜନ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ କୌଣସି ବିଧାୟକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ। ୧୯୬୧ ଓ ୧୯୬୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଭାବେ ଉଦୟ ନାୟକ ବିଧାୟକ ହୋଇଥିବା ବେଳେ ଶ୍ରୀବତ୍ସ ନାୟକ କଂଗ୍ରେସ ପ୍ର୍ରଥିଭାବେ ୧୯୭୧ ଓ ୧୯୭୪ ନିର୍ବାଚନରେ ବିଧାୟକ ହୋଇଥିଲେ । ୧୯୭୭ ନିର୍ବାଚନରେ ଉଦୟ ନାୟକ ଜନତା ଦଳ ପ୍ରାର୍ଥୀ ଭାବେ ପୁଣି ବିଧାୟକ ହୋଇଥିଲେ। ୧୯୮୦ ରେ ଶ୍ରୀବତ୍ସ ନାୟକ ଓ ୧୯୮୫ ରେ ଡମ୍ବୁରୁଧର ସେଠୀ ଇନ୍ଦିରା କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ। ୧୯୯୦ ଓ ୧୯୯୫ ରେ ମାଧବାନନ୍ଦ ବେହେରା ଜନତା ଦଳ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୦ ନିର୍ବାଚନରେ ସୀମାଞ୍ଚଳ ବେହେରା କଂଗ୍ରେସ ପ୍ରାର୍ଥୀଭାବେ ବିଧାୟକ ହୋଇଥିଲେ। ୨୦୦୪ ରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ମାଧବାନନ୍ଦ ବେହେରା ପୁଣି ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବାପରେ ବୁଗୁଡା ବ୍ଲକ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହେଲା। ୨୦୦୯ ନିର୍ବାଚନରେ ନିରଞ୍ଜନ ପ୍ରଧାନ ବିଜେଡି ପ୍ରାର୍ଥୀଭାବେ ବିଧାୟକ ହୋଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ଶ୍ରୀକାନ୍ତ ସାହୁ ବିଜେଡି ପ୍ରାର୍ଥୀଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ଦ୍ଵିତୀୟ ପାଳି ବିଧାୟକ ହେବାର ତୃତୀୟ ବର୍ଷ ପରେ ଜୁନ ୫ ତାରିଖ ଦିନ ଶ୍ରୀକାନ୍ତ ସାହୁ ମାନ୍ୟବର ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମନ୍ତ୍ରୀ ହେବାପରେ ଶ୍ରୀ ସାହୁ ପ୍ରଥମ ଗସ୍ତର ଦ୍ଵିତୀୟ ଦିବସରେ ଜୁନ ୦୮ ତାରିଖ ଦିନ ବୁଗୁଡା ବ୍ଲକକୁ ଆସିଥିଲେ। ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତ ସୀମାରେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାସହ ବୁଗୁଡା ସହର ପର୍ଯ୍ୟନ୍ତ ଏକ ବିରାଟ ପଟୁଆରରେ ପାଛୋଟି ଆଣିଥିଲେ। ବୁଗୁଡ଼ାରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ସାହୁ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ଓ ବଳଦେବ ଜୀଉ ମନ୍ଦିରରେ ଠାକୁର ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ବୁଗୁଡ଼ାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆସିକ ସାଂସଦ ପ୍ରମିଳା ବିଷୋୟୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, କେ. ନୀଳମାଧବ ଆଚାରୀ, କେ.ତ୍ରିଲୋଚନ ଦୋରା, ଓକିଲ ରବୀନ୍ଦ୍ର କୁମାର ପଣ୍ଡା, ସୁଶାନ୍ତ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ସାଂସଦ ପ୍ରତିନିଧି କବିରାଜ ଗୌଡ଼ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି, ବିଜେଡି କର୍ମୀ ଓ ଜନସାଧାରଣ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଓ ପଟୁଆରରେ ଯୋଗ ଦେଇଥିଲେ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here