ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ;ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ସୁରକ୍ଷିତ ରଖିବ-ଜିଲ୍ଲାପାଳ

0
231

ଛତ୍ରପୁର : ଯେ କୌଣସି ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଏହାର ପୂର୍ବ ପ୍ରସ୍ତୁତି ହିଁ ଅଧିକାଂଶ କ୍ଷେତ୍ରରେ ସହାୟକ ହୋଇଥାଏ । ଏଣୁ ସମସ୍ତ ବିଭାଗ ନିଜନିଜର କାର୍ଯ୍ୟ ଖସଡା ପୂର୍ବରୁ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ ଜରୁରୀ କାଳୀନ ବିଭାଗ ଠାରେ ଦାଖଲ କରିବା ସହିତ ନିଜ ନିଜ କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ କୁହାଯାଇଛି । ବିପର୍ଯ୍ୟୟ ଯେ କୌଣସି ସମୟରେ ପୂର୍ବ ସୂଚନା ନଦେଇ ଆସିପାରେ, ଏଣୁ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ରକ୍ଷା କରିବାରେ ଏକମାତ୍ର ମାଧ୍ୟମ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଅନୁଷ୍ଠିତ ଆଭାସୀ ବୈଠକରେ ଅବଗତ କରାଇଥିଲେ ।
ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ଯୋଜନା ବାସ୍ତବ ରୂପେ ପ୍ରସ୍ତୁତ କରିରଖିବା ସହିତ କ୍ଷେତ୍ର ସ୍ତରରୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିପର୍ଯ୍ୟୟ ସମୟରେ ଯେଉଁ ସବୁ ପ୍ରତିବନ୍ଧକ ମାନ ଦେଖାଯାଏ ତାହାକୁ ଭିତ୍ତି କରି ପୂର୍ବରୁ ସଜାଡିବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରାଞ୍ଚଳ ଏବଂ ମହାନଗର ନିଗମ ଅଞ୍ଚଳ, କମିଶନର ସ୍ତରରେ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ କୁହାଯାଇଛି । ସମସ୍ତ ବିଭାଗ ଏବଂ ଲାଇନ୍ ବିଭାଗ ନିଜ ନିଜ ସ୍ତରରେ ଆକଳନ କରି ପୂର୍ବ ପ୍ରସ୍ତୁତି କରି ସଜାଗ ରହିବେ । ସମସ୍ତ ଗ୍ରାମାଞ୍ଚଳ ସ୍ତରରେ ସ୍ବୟଂସିଦ୍ଧା ଅଭିଯାନରେ ଗୋଷ୍ଠୀଙ୍କୁ ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ଦିଗରେ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ କୁହାଯାଇଛି । ବିପର୍ଯ୍ୟୟର ମୁକାବିଲା ଦିଗରେ ଗୋଷ୍ଠୀ ମାନଙ୍କୁ ସାମିଲ କରି କାର୍ଯ୍ୟ ଖସଡା ପ୍ରସ୍ତୁତ କଲେ ଏହା ବିପର୍ଯ୍ୟୟ ମୁକାବିଲା ଦିଗରେ ଅଧିକ ସହାୟକ ହୋଇ ପାରିବ । ସମସ୍ତ ଗ୍ରାମ ପଞ୍ଚାୟତରେ ନିହାତି ଭାବେ ୨୦ଜଣ ମହିଳାଙ୍କୁ ସମସ୍ତ ବିପର୍ଯ୍ୟୟ ମୁକାବିଲାର ପ୍ରଶିକ୍ଷଣ ଦେବା ଜରୁରୀ । ବିଦ୍ୟାଳୟ ମାନଙ୍କରେ ପ୍ରତି ଶନିବାର ଦିନ ପ୍ରାର୍ଥନା ପରେ ନିହାତି ଭାବେ ଅଧ ଘଣ୍ଟା ବିପର୍ଯ୍ୟୟ କଣ, କେତେ ପ୍ରକାର ବିପର୍ଯ୍ୟୟ ଏ ସମ୍ବନ୍ଧରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଗଣ ସଚେତନତା କରି ଏହାର ମୁକାବିଲା ଦିଗରେ କିବଳି ପଦକ୍ଷେପ ଗ୍ରହଣ କରିବା ଜରୁରୀ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବେ । ଜିଲ୍ଲାର ଯେଉଁ ଅଞ୍ଚଳ ଗୁଡିକରେ ମୋବାଇଲ ଟାଓ୍ବାର ପାଉ ନାହିଁ ତାର ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଆଧାର କରି ଟାଓ୍ବାର କିଭଳି ଉପଲବ୍ଧ ହେବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ବ୍ଲକ୍ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ସ୍ତରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମହା ନଗର ଅଞ୍ଚଳରେ କମିଶନର ନିଜ ନିଜ ସ୍ତରରେ ବୈଠକ କରି ଏସମ୍ପର୍କରେ ସମସ୍ତ ସୂଚନା ନିଜ ଅଧିନସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାଇବେ ଏବଂ ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ଅବଗତ ହେବେ ଓ ତାର ପ୍ରତିକାର ଦିଗରେ ପୂର୍ବରୁ ବିହିତ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ଜରୁରୀକାଳୀନ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଉପସ୍ଥିତ ରହି ନିଜ ଅଞ୍ଚଳରେ ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଏହାର ମୁକାବିଲା ଦିଗରେ ଆବଶ୍ୟକୀୟ ବିହିତ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସ,ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here