ଭିଜିଲାନ୍ସ ଜାଲରେ ପୁଣି ଦୁଇ ଲାଞ୍ଚୁଆ ସରକାରୀ କର୍ମଚାରୀ, ଆସନ୍ତା କାଲି କୋର୍ଟ ଚାଲାଣ।

0
954

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଲାଞ୍ଚ ନେବା ମହଙ୍ଗା ପଡିଲା ଦୁଇ ସରକାରୀ କର୍ମଚାରୀଙ୍କୁ। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଜାଲରେ ଧରପଡି ଗିରଫ ହେଲେ ଗଂଜାମ ଜିଲ୍ଲା ଧରାକୋଟ ତହସିଲ କାର୍ଯ୍ୟାଳୟର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଓ ପିଅନ। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାରିଗୁଡା ଗାଁର ଦାସିଆ ଦାସ ନିକଟରେ କ୍ରୟ କରିଥିବା ଏକ ଜମିର ମ୍ୟୁଟେସନ ମାମଲାର ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଣ୍ଡମରେଇ ସର୍କଲ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ପାଢ଼ୀଙ୍କ ସହ ଯୋଗାଯୋଗ କରିଥିଲେ। ଏଥିପାଇଁ ସୀମାଞ୍ଚଳ ୧୫୦୦ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଏବଂ ପୂର୍ବ ବୁଝାମଣା ପ୍ରକାରେ ଆଜି ଦାସିଆ ଦାସଙ୍କ ପୁଅ ପବିତ୍ର ଦାସ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ପାଢ଼ୀଙ୍କ କାର୍ଯ୍ୟାଳୟରେ ତାଙ୍କ କହିବା ଅନୁଯାୟୀ ପିଅନ ସନ୍ତୋଷ ଗୌଡ଼ଙ୍କୁ ୧୫୦୦ଟଙ୍କା ଦେଇଥିଲେ। ଏନେଇ ପୂର୍ବରୁ ପବିତ୍ର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିବାରୁ ଆଜି ଯୋଜନାବଦ୍ଧ ଭାବେ କାର୍ଯ୍ୟାଳୟରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଜାଲରେ ପଡ଼ିଥିଲେ ଉଭୟ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ପାଢ଼ୀ ଓ ପିଅନ ସନ୍ତୋଷ ଗୌଡ଼। ପିଅନ ସନ୍ତୋଷଙ୍କ ସାର୍ଟ ପକେଟରୁ ଲାଞ୍ଚ ବାବଦ ନଗଦ ୧୫୦୦ଟଙ୍କା ଜବତ କରାଯିବା ସହିତ ଉଭୟଙ୍କୁ ଗିରଫ କରାଯାଇଛି। ପରେ ଉଭୟଙ୍କ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆସନ୍ତାକାଲି ଉଭୟଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ ପି ମାୟାଧର ସ୍ଵାଇଁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here