ଧନେଇ ଡ୍ୟାମ ଅଞ୍ଚଳ ହୋଇପାରେ ଟୁରିଜମ ହବ୍ !

0
325

ପୋଲସରା : ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧ୍ୟକ୍ଷ ବିଜୟ ଅମୃତ କୁଲାଙ୍ଗେ ମଇ ୦୫ ତାରିଖ ଅପରାହ୍ନ ପ୍ରାୟ ପାଞ୍ଚ ଘଟିକା ସମୟରେ ପୋଲସରା ବ୍ଲକ ଅନ୍ତର୍ଗତ ଧନେଇ ଡ୍ୟାମ ପରିଦର୍ଶନ କରିବା ସହ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ଧନେଇ ଡ୍ୟାମ ପରିଦର୍ଶନ ସମୟରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ, ଧନେଇ ଡ୍ୟାମ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜ୍ୟରେ ୧୭ ଟି ଡ୍ୟାମ ନିକଟରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନିର୍ମାଣ ପାଇଁ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହେବା ପାଇଁ ମଞ୍ଜୁରୀ ହୋଇଥିବା ଜଣାପଡିଛି। ୧୭ ଟି ଡ୍ୟାମ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଧନେଇ, ଘୋଡାହାଡ଼ ଓ ଭଞ୍ଜନଗର ଡ୍ୟାମ ସ୍ଥାନ ପାଇଛି। ଧନେଇ ଡ୍ୟାମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହାତବ ଉଦଘାଟନ କରିଥିଲେ। ଧନେଇ ଡ୍ୟାମ ବର୍ତ୍ତମାନ ଏକ ପିକିନିକ ସ୍ଥଳୀ ଭାବେ ପ୍ରସିଦ୍ଧ ଅଟେ। ଘୋଡାହାଡ଼ ଡ୍ୟାମ ନିକଟରେ ବନ ବିଭାଗ ପକ୍ଷରୁ ଯେପରି ପାର୍କ ନିର୍ମାଣ ହୋଇଛି, ସେହିପରି ଧନେଇ ଡ୍ୟାମ ନିକଟରେ ଏକ ପାର୍କ ନିର୍ମାଣ ପାଇଁ ଜିଲ୍ଲାପାଳ ମହୋଦୟ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିବା ଜଣାପଡିଛି। ଧନେଇ ଡ୍ୟାମ ଠାରୁ ପ୍ରାୟ ସମଦୂରତାରେ ପୋଲସରା ଓ ବୁଗୁଡା ସହର ଅବସ୍ଥିତ। ବୁଗୁଡା ବ୍ଲକରେ ବୁଦ୍ଧଖୋଲ ଓ କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଦୁଇଟି ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅବସ୍ଥିତ। ସେହିପରି ପୋଲସରା ବ୍ଲକରେ ମା ସିଂହାସିନୀ ପୀଠ ଓ ମଥୁରାର ମାରଦା ଶରଣ ଶ୍ରୀକ୍ଷେତ୍ର ମନ୍ଦିର ଦୁଇଟି ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅବସ୍ଥିତ। ପ୍ରତିବର୍ଷ ଏହି ଚାରିଗୋଟି ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାୟ ୮୦ ହଜାର ବିଦେଶୀ ଓ ଅନ୍ୟ ରାଜ୍ୟର ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ରହଣୀ ଓ ଖାଦ୍ୟ ପେୟ ପାଇଁ ଦୁଇ ବ୍ଲକରେ ଉନ୍ନତ ମାନର ହୋଟେଲ ନଥିବା ବେଳେ ସମସ୍ତେ ଗୋପାଳପୁର ଚାଲିଯାଇଥାନ୍ତି। ଧନେଇ ଠାରେ ପର୍ଯ୍ୟଟନ ବିଭଗ ଦ୍ୱାରା ପାର୍କ ନିର୍ମାଣ ସହ ପର୍ଯ୍ୟଟକ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ହେଲେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ସହ ଅଞ୍ଚଳବାସୀଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି। ଜିଲ୍ଲାପାଳଙ୍କ ଗସ୍ତ ଯୋଗୁଁ ଧନେଇ ଡ୍ୟାମ ପର୍ଯ୍ୟଟନ କ୍ଷେତ୍ର ହୋବାକୁ ଯାଉଥିବା ଜାଣିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here