କୂଳ ଖାଉଛି ସମୁଦ୍ର,ରାମେୟାପାଟଣା ଓ ସୁନାପୁର ଗ୍ରାମର ଲୋକେ ମୁହାଣ ଖୋଳିଲେ

0
674

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ କତୁରୁ ପଞ୍ଚାୟତର ରାମେୟପାଟଣା ଓ ସୁନାପୁର ଗ୍ରାମର ୩ ଶହରୁ ଅଧିକ ଲୋକ ପୋତି ହୋଇଯାଇଥିବା ବାହୁଦା ମୁହାଣକୁ ଖୋଳିଛନ୍ତି । ୪ ଫୁଟ ଓସାର ଓ ପ୍ରାୟ ୧ଶହ ମିଟର ଲମ୍ବ ପରିମିତ ଜାଗାରୁ ଜେସିବି ସାହାଯ୍ୟରେ ବାଲି କାଢ଼ିଦେଇଛନ୍ତି । ମୁହାଣ ଖୋଳାଯିବା ପରେ ବାହୁଦା ନଦୀର ଜଳ ସମୁଦ୍ରକୁ ଯିବା ଆରମ୍ଭ ହୋଇଛି।
ରାମେୟାପାଟଣା ଗ୍ରାମଟି ସମୁଦ୍ର କୂଳରେ ରହିଛି । ରାମେୟପାଟଣା-ସୁନାପୁର ମଧ୍ୟବର୍ତ୍ତୀ ସ୍ଥାନରେ ବାହୁଦା ନଦୀ ସମୁଦ୍ରରେ ମିଶିଛି । ବାହୁଦା ମୁହାଣ ଗତ କିଛି ମାସ ହେବ ପୋତି ହେବା ସହିତ ବାହୁଦା ନଦୀ ଗତିପଥ ବଦଳାଉଛି ଫଳରେ ବାହୁଦା ନଦୀର ଜଳ ସମୁଦ୍ରକୁ ନିଷ୍କାସିତ ହୋଇପାରୁ ନ ଥିଲା । ଏହାର ପ୍ରଭାବରେ ସମୁଦ୍ର ଉଗ୍ର ହେବା ସହିତ ସୁଉଚ୍ଚ ଜୁଆର ଆସି କୁଳ ଖାଉଥିଲା । ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥାନୀୟ ଲୋକମାନେ ଅଣ୍ଟା ଭିଡ଼ି ଏହି କାମ କରିଥିଲେ । ସକାଳୁ ଦୁଇ ଗ୍ରାମର ୩ ରୁ ୪ଶହ ଗ୍ରାମବାସୀ ଡଙ୍ଗାରେ ଉଭୟ ପାର୍ଶ୍ୱର ମୁହାଣ ନିକଟରେ ପହଁଞ୍ଚିଥିଲେ ଓ ସୁନାପୁର ଠାରୁ ବେଳଭୂମି ଦେଇ ଏକ ଜେସିବି ମୁହାଣ ନିକଟକୁ ଅଣାଯାଇଥିଲା । ଦିନତମାମ ମୁହାଣ ଖୋଳା ଚାଲିଥିଲା। ଲୋକମାନଙ୍କ ଏହି ଉଦ୍ୟମ ପରେ ବାହୁଦା ନଦୀର ଜଳ ସମୁଦ୍ରକୁ ଯିବା ଆରମ୍ଭ କରି ଥିଲା ।ସମୁଦ୍ରକୂଳରେ ରହିଥିବା ରାମେୟାପାଟଣା ଗ୍ରାମର ୨୭ଟି ବାସଗୃହ, ୨୨ଟି ଶୁଖୁଆଖଳା, ମତ୍ସଜୀବୀ ବିଶ୍ରାମ କେନ୍ଦ୍ର ଏବଂ ୧୦ରୁ ଅଧିକ ନଡ଼ିଆ ଗଛ ସମୁଦ୍ରର ଆଁରେ ପଶିଥିଲା। ଗତ ଅଗଷ୍ଟ ୧୦ ତାରିଖ ଠାରୁ ରାମେୟାପାଟଣା ଠାରେ ଏଭଳି ସ୍ଥିତି ଲାଗି ରହିଥିଲା । ସମୁଦ୍ର ଅଶାନ୍ତ ଯୋଗୁଁ ରାମେୟାପାଟଣା, ସୁନାପୁର ଆଦି ଅଞ୍ଚଳର ମତ୍ସଜୀବୀମାନେ ମାଛ ମାରିବା ଲାଗି ସମୁଦ୍ରକୁ ଯାଇ ନ ପାରି ହାତବାନ୍ଧି ବସିଥିଲା । ସମୁଦ୍ରର କରାଳ ରୂପ ଲାଗି ମତ୍ସଜୀବୀମାନଙ୍କ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଏହାର ପ୍ରତିକାର ଲାଗି ରାମେୟାପାଟଣା ଓ ସୁନାପୁର ଗ୍ରାମବାସୀ ଅଣ୍ଟା ଭିଡିଥିଲେ।

LEAVE A REPLY

Please enter your comment!
Please enter your name here