ବେପରୁଆର ନିଦର୍ଶନ ନା, ସଚେତନତାର ଅଭାବ !

0
708

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ଠାରେ ଠିଆ ହୋଇ ରହିଥିବା ଏକ ବସ୍ ଉପରେ ମଙ୍ଗଳବାର ପୂର୍ବାହ୍ନରେ କଲେଜ ପଢୁଆ ଛାତ୍ର ମାନେ ବସ୍ ଉପର ଛାତ ଉପରକୁ ଚଢି ଠିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପରେ ସେହି ବସ୍ ଛାତ ଉପରେ ହିଁ ଛାତ୍ର ମାନେ କଲେଜକୁ ଯାଇଥିବା ଦେଖିବାକୁ ମିଲିଥିଲା । ସେହି ସମୟରେ କିଛି ପାସେଞ୍ଜର ଅଟୋରେ ମଧ୍ୟ କଲେଜ ପଢୁଆ ଛାତ୍ରଛାତ୍ରୀ ମାନେ ବେପରୁଆ ଭାବେ ପରିବହନ ହେଉଥିବା ଦେଖିବାକୁ ମିଳିଥିଲା ।ଦିଗପହଣ୍ଡି ତଥା ଆଖପାଖରେ ରହିଥିବା କଲେଜ ମାନଙ୍କରେ ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ହେଁ କଲେଜକୁ ଯାତାୟତ ପାଇଁ ସ୍ୱତନ୍ତ୍ର ବସ୍ ଚଳାଚଳ କରାଯାଉନଥିବାରୁ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦୀର୍ଘ ବର୍ଷ ଧରି ଏହି ଦାବୀ ରହି ଆସିଥିଲେ ହେଁ କଲେଜ ପରିଚାଳନା କମିଟି ଏନେଇ ସେତେଟା ଗୁରୂତ୍ୱାରୋପ ଦେଉନଥିବା ଜାଣିବାକୁ ମିଳିଛି । ଫଳତଃ ଛାତ୍ରଛାତ୍ରୀ ମାନେ କେତେବେଳେ ବସ୍ ଛାତ ଉପରେ ତ କେତେବେଳେ ମାଲ୍ ବୋଝେଇ ଟ୍ରକ୍ , ଟ୍ରାକ୍ଟର, ପାସେଞ୍ଜର ଓ ଡାଲା ଅଟୋରେ ବେପରୁଆ ଭାବେ ପରିବହନ ହେଉଥିବା ଦେଖିବାକୁ ମିଳୁଛି । ତେବେ ବେପରୁଆ ପରିବହନ ନେଇ ଛାତ୍ରଛାତ୍ରୀ ମାନେ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ସେମାନଙ୍କୁ ଅଭିଭାବକ, ସମ୍ପୃକ୍ତ କଲେଜ ଅଧ୍ୟାପକ ଅଧ୍ୟାପିକା ଅଧକ୍ଷ , ପରିବହନ ବିଭାଗୀୟ କର୍ତ୍ତୃପକ୍ଷ , ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ସଚେତନତା କରାଯାଉଥିଲେ ହେଁ ଏଭଳି ନିର୍ଭୟରେ ବେପରୁଆ ଭାବେ ପରିବହନ ପଛରେ କଣ କାରଣ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରତି ବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି କଲେଜ ପଢୁଆ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଶ୍ଲୋଗାନ୍ ଦେଇ ଶୋଭାଯାତ୍ରା ସଚେତନତା ସୃଷ୍ଟି କରୁଥିଲେ ହେଁ ଏଭଳି ରୂପରେଖ ଏବଂ ନିଦର୍ଶନ ଦେଖିବାକୁ ମିଳୁଥିବାକୁ ନେଇ ନାନା ସମାଲୋଚନା ସୃଷ୍ଟି କରିଛି । ଏ ଦିଗରେ ସଡକ ପରିବହନ କର୍ତ୍ତୃପକ୍ଷ ଏବଂ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ରୂପରେଖରେ ପରିବର୍ତ୍ତନ ଆସିପାରିବ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here