ଏମ୍‌ସ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ବୃକକ୍‌ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ୍‌)

0
290

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୃକକ୍ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ୍‌) ସେବା। ଏନେଇ ଏମ୍‌ସ ପକ୍ଷରୁ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ବେଶ୍‌ ପୂର୍ବରୁ ସମାପ୍ତ ହୋଇଛି। ରାଜ୍ୟ ସରକାରଙ୍କଠାରୁ ଏନେଇ ଆବଶ୍ୟକ ଅନୁମତି ପାଇବା ନେଇ ଏମ୍‌ସକୁ ସବୁଜ ସଙ୍କେତ ମିଳିସାରିଛି। ଆବଶ୍ୟକ ପ୍ରକ୍ରିୟା ସମାପ୍ତି ପରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତିକ୍ଷୀତ ବୃକକ୍‌ ପ୍ରତିରୋପଣ ଆରମ୍ଭ ହେବ ବୋଲି ଏମ୍‌ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡ. ଏସ୍‌ ଏନ୍‌ ମହାନ୍ତି ପ୍ରକାଶ କରିଛନ୍ତି। ଆଜି ଏମ୍‌ସ ପରିସରରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ଡ. ମହାନ୍ତି। ଏହି ସେବା ଆରମ୍ଭ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କିଡ୍‌ନୀ ରୋଗୀ ଉପକୃତ ହେବେବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି।
ଏହି ଅବସରରେ ସୂଚନା ଦେଇ ନେଫ୍ରୋଲୋଜି ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସର ଡ. ସନ୍ଦୀପ କୁମାର ପଣ୍ଡା କହିଛନ୍ତି ଯେ ଏମ୍‌ସ ଭୁବନେଶ୍ୱର ୨୦୧୯ରୁ ଡାଏଲିସିସ୍ ସେବା ଯୋଗାଇ ଆସୁଛି। ଏଥିସହିତ ବିଭିନ୍ନ କିଡ୍‌ନୀ ରୋଗ ପାଇଁ ପ୍ଲାଜମାଫେରେସିସ୍‌, ସିଆରଆରଟି, ରେନାଲ୍‌ ବାୟୋପ୍ସି ଭଳି ସେବା ଯୋଗାଇ ଆସୁଛି। ଓଡ଼ିଶାରେ କ୍ରମାଗତ ଭାବେ କ୍ରନିକ୍ ବୃକକ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଭିନ୍ନ ସର୍ଭେରୁ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାରେ ପ୍ରାୟ ୧୦-୧୪ ପ୍ରତିଶତ ବିଭିନ୍ନ କିଡ୍‌ନୀଜନିତ ରୋଗରେ ପିଡ଼ୀତ। ଯାହାକି ଜାତୀୟ ହାରଠାରୁ ଅଧିକ ଅଟେ। ଏହାବ୍ୟତୀତ ରାଜ୍ୟରେ କିଛି ଅଞ୍ଚଳରେ କିଡ୍‌ନୀ ରୋଗର ପ୍ରାଦୁର୍ଭାବ ପ୍ରାୟ ୨୦ ପ୍ରତିଶତ ରହିଛି। ଏସମସ୍ତ ଅଞ୍ଚଳକୁ ସିକେଡି ହଟ୍‌ସ୍ପଟ୍‌ ଅଞ୍ଚଳ ଭାବେ ବିବେଚିତ କରାଯାଉଛି। ଯାହାକି ଚିନ୍ତାଜନକ ବୋଲି ଡ. ପଣ୍ଡା ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ବର୍ତ୍ତମାନ ଭାରତରେ ୧୦୦ ମିଲିୟନରୁ ଅଧିକ ଲୋକ କିଡନୀ ରୋଗରେ ପୀଡିତ ଅଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବବ୍ୟାପୀ ଡାଇବେଟିସ୍ ମେଲିଟସ୍ ହେଉଛି ଉଚ୍ଚ ରକ୍ତଚାପ ପରେ ବୃକକ୍ ବିଫଳତାର ମୁଖ୍ୟ କାରଣ। କିନ୍ତୁ ନିକଟ ଅତୀତରେ ଅଧିକରୁ ଅଧିକ ଯୁବକ ଅଣ-ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଥିବା ଡ. ପଣ୍ଡା ସୂଚନା ଦେଇଛନ୍ତି।
ରକ୍ତଚାପ, ମଧୁମେହକୁ ନିୟନ୍ତ୍ରଣ କରିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଧୂମପାନରୁ ଦୂରେଇ ରହିବା, ଅନାବଶ୍ୟକ ଭାବେ ଔଷଧ ସେବନରୁ ଦୂରେଇ ରହିବା ଆଦି ପାଳନ ଦ୍ବାରା କିଡ୍‌ନୀ ରୋଗରୁ ରକ୍ଷା ଦେଇପାରିବ ବୋଲି ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜେନେରାଲ୍ ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ଅନୁପମ ଦେ, ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ମନୋଜ ଦାସ, ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଅମିତ ଶତପଥୀ, ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡ. ଦେବାନନ୍ଦ, ନେଫ୍ରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ପ୍ରୀତି ମୀନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ଜନସାଧାରଣ ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ କିଡନୀ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୬ ମସିହାରୁ ମାର୍ଚ୍ଚ ମାସର ୨ୟ ଗୁରୁବାରକୁ ବିଶ୍ବ ବୃକକ୍‌ ଦିବସ ଭାବେ ପାଳନ କରାଯାଇଆସୁଛି। ବୃକକ୍‌ର ସୁରକ୍ଷା ନିମନ୍ତେ ତଥ୍ୟ ପାଇବାର ବ୍ୟବଧାନକୁ କମ କରିବା ଶୀର୍ଷକ ବିଷୟକୁ ନେଇ ଚଳିତ ବର୍ଷ ବିଶ୍ବ କିଡ୍‌ନୀ ଦିବସ ଆଜି ପାଳିତ ହୋଇଛି।

LEAVE A REPLY

Please enter your comment!
Please enter your name here