ନିର୍ବାଚନ କାର୍ଯ୍ୟ ଆଦେଶ ପାଇଁ କାର୍ଯ୍ୟରେ ଯୋଗ ଦେଇ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ଜିଲ୍ଲାପାଳ

0
231

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପୋଲିଂ ଅଧିକାରୀ ଗଣଙ୍କୁ ନିର୍ବାଚନ ନିଯୁକ୍ତି ଆଦେଶ ପ୍ରଦାନ କରାଯାଇଅଛି । ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ । ଏହି ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସମସ୍ତ ଭାରତୀୟ ନାଗରିକ ମାନଙ୍କର ନୈତିକ କର୍ତ୍ତବ୍ଯ ରହିଅଛି । ଏଣୁ ନିର୍ବାଚନ ସଂପାଦନ ସକାଶେ ନିର୍ଦ୍ଦେଶ ପାଇଥିବା ପ୍ରତ୍ୟକ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ । ଯେଉଁ ଅଧିକାରୀ କିମ୍ବା କର୍ମଚାରୀଗଣ ନିଯୁକ୍ତି ପାଇ ସୁଦ୍ଧା ନିର୍ଦ୍ଦିଷ୍ଟ ନିର୍ବାଚନ ଅଧିକାରୀଙ୍କ ଠାରେ ଯୋଗଦାନ କରି ନାହାନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଗଣ ଯଦି ତାଙ୍କ କାର୍ଯ୍ୟାଳୟର ଅଧିକାରୀ କିମ୍ବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ଯୋଗଦାନ କରିବା ନିମିତ୍ତ ସେମାନଙ୍କୁ କାର୍ଯ୍ୟରୁ ରିଲିଭ୍ ବା ଅବ୍ୟାହତ କରି ନାହାନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ନିର୍ବାଚନ ଆଇନ୍ ଅନୁଯାୟୀ କୈଫୟତ ମଗାଯାଇଅଛି ଏବଂ ସେମାନଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ନୋଟିସ୍ ଜାରି ହେବାର ବ୍ୟବସ୍ଥା କରାଯାଉଅଛି । ଆବଶ୍ୟକ ସ୍ଥଳେ ସେହି ବ୍ୟକ୍ତି ବିଶେଷ କୌଣସି କାରଣ ନ ଥାଇ ଜାଣିଶୁଣି ଏହି ସାମ୍ବିଧାନିକ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କୁ ସରକାରୀ କାର୍ଯ୍ୟରୁ ଅପସାରଣ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଅଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ତାହାର ନକଲ ସଂପୃକ୍ତ ଅଞ୍ଚଳର ପୋଲିସ୍ ବିଭାଗକୁ ପ୍ରେରଣ କରାଯାଇଅଛି । ଯଦି ସେମାନେ ନୋଟିସ୍ ଜାରିର ସନ୍ତୋଷଜନକ ଉତ୍ତର ଦାଖଲ ନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ଜାରି ହେବ ।

LEAVE A REPLY

Please enter your comment!
Please enter your name here