ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ

0
269

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ତାଳସାକର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର। ପେଷାରେ କ୍ରୀଡା ଶିକ୍ଷକ, ହେଲେ ସେ ହେଉଛନ୍ତି ବହୁ ପ୍ରତିଭାର ଅଧିକାରୀ। କ୍ରୀଡା ଶିକ୍ଷକ ଭାବେ ସେ କେବେବି ନିଜ କର୍ତ୍ତବ୍ୟରେ କରିନାହାଁନ୍ତି ଅବହେଳା। ମହାମାରୀ କରୋନାର ପ୍ରଥମ ଲହାରରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ସେ ପିଲାମାନଙ୍କୁ ଯୋଗଶିକ୍ଷା ଦେଇ କିପରି କରୋନାରୁ ମୁକ୍ତି ମିଳିପାରିବ ସେଥିପାଇଁ ସର୍ବଦା ଚେଷ୍ଟା କରିଆସୁଛନ୍ତି। ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବାର୍ତ୍ତା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରି ଯୋଗ ଦ୍ୱାରା କିପରି ନିରୋଗ ରହିପାରିବା ସେଥିପାଇଁ ଅହରହ ଚେଷ୍ଟା କରି ସଫଳ ମଧ୍ୟ ହୋଇପାରିଛନ୍ତି। କୋଭିଡ ନିୟମ ଅନୁସରଣ କରି ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କ ପ୍ରିୟ କ୍ରୀଡା ଶିକ୍ଷକଙ୍କ ନିର୍ଦ୍ଦେଶ ପ୍ରକାରେ ଯୋଗ ଅଭ୍ୟାସ କରୁଛନ୍ତି। ଏହା ବ୍ୟତୀତ ଶ୍ରୀ ପାତ୍ର ଜଣେ ପରିବେଶ ପ୍ରେମୀ ଅଟନ୍ତି। ଶ୍ରୀ ପାତ୍ର ନିଜ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ସେହି ବୃକ୍ଷକୁ ବଡ଼ କରିବାରେ ସର୍ବଦା କାର୍ଯ୍ୟ କରି ଉଚ୍ଚ ପ୍ରଶଂସନୀୟ ହୋଇପାରିଛନ୍ତି। ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତା ସବୁଆଡେ ପ୍ରଚାର କରି ଲୋକମାନଙ୍କୁ ବୃକ୍ଷ ରୋପଣ ପାଇଁ ଆଗ୍ରହ ସୃଷ୍ଟି କରିବା ସହ ବୃକ୍ଷ କିପରି ମାନବ ସମାଜ ପାଇଁ ହିତକାରକ ସେହି କଥା ଲୋକଙ୍କୁ ବୁଝାଇଥାନ୍ତି। ଏହାଛଡା ସେ ବିଭିନ୍ନ ସାମାଜିକ ସଂଗଠନ ସହ ସମ୍ପୃକ୍ତ ରହି ଗରିବ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇଆସୁଛନ୍ତି। ଗତ କରୋନାର ପ୍ରଥମ ପର୍ଯ୍ୟାୟରେ ଜଣେ ସ୍କାଉଟ ଗାଇଡ଼ ଟିଚର ଭାବେ ବିଭିନ୍ନ ଗ୍ରାମରେ କିପରି ସାବୁନ ଦ୍ୱାରା ହାତ ସଫା କରିବାକୁ ହେବ ବୁହାଇବା ସହ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ନିଜେ ବ୍ୟକ୍ତିଗତ ଭାବେ ନିଜ ଅର୍ଥରେ ସାବୁନ ଓ ମାସ୍କ କ୍ରୟକରି ଗରିବ ଜନସାଧାରଣଙ୍କୁ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏହି ସବୁ ଦୃଷ୍ଟିରୁ ସେ ଜଣେ ବହୁ ପ୍ରତିଭାବାନ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here