ଜିଲ୍ଲା ସ୍ତରୀୟ ବିଶ୍ବ ଏଡ଼ସ ଦିବସ ପାଳିତ

0
281

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ବିଶ୍ବ ଏଡ୍ସ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସ୍ତରୀୟ ଉତ୍ସବ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ‘ବିଶ୍ବ ଏକତା – ଦାୟୀତ୍ବର ସମଭାଗିତା’ ବିଷୟ ବସ୍ତୁକୁ ଆଧାର କରି ଏହି ସଚେତନତା ଦିବସ ପାଳିତ ହୋଇଥିଲା । କୋଭିଡ୍ -୧୯ ନିୟମ ଅନୁପାଳନ କରି ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର ଜଣାଇଥିଲେଯେ କୋଭିଡ୍ ସହିତ ବଞ୍ଚିବା, ଜୀବନଚର୍ଯ୍ୟା ଅନୁପାଳନ କରିବା ତେବେ ଯାଇ ଆଜିର ପରିସ୍ଥିତିରେ ମଣିଷ ଯାଇ ବଞ୍ଚିପାରିବ । ଏଡ୍ସ ଠାରୁ ନିଜକୁ ଦୂରେଇ ରଖିବାପାଇଁ ସଚେତନତା ଓ ସତର୍କତା ହିଁ ମୁଖ୍ୟ ଆୟୁଧ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଆର୍ ଜଗଦୀଶ୍ ପଟ୍ଟନାୟକ ଏଡ୍ସ କଣ, ଏହା କିପରି ବ୍ୟାପେ, ଏଡ୍ସ ସଂକ୍ରମିତ ହେଲେ ଶରୀରରେ କିଭଳି ଭାବେ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ତାହା ପ୍ରାଞ୍ଜଳ ଭାବେ ଜଣାଇ ପୃଥିବୀର ସମସ୍ତ ବ୍ୟକ୍ତି ବିଶେଷ ଦୃଢ ସଂକଳ୍ପ ନେଇ ଉଦ୍ୟମ କଲେଯାଇ ଏଡ୍ସ କୁ ସମୂଳେ ଲୋପ କରିହେବ । ଗଞ୍ଜାମ ଜିଲ୍ଲାରେ ଏଡ୍ସରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ ଶତକଡା ୩୧ ପ୍ରତିଶତରେ ପହଞ୍ଚିଥିବା ସୂଚନା ଦେଇଥିଲେ । ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଜଣାଇଥିଲେଯେ ଏଡ୍ସ ଏକ ଚତୁର ରୋଗ, ତାହାକୁ ସମ୍ପୂର୍ଣ୍ଣ ବିଲୁପ୍ତ କରିବା କଠିନ ବ୍ୟାପାର । ଏହି ରୋଗ ଯେଉଁଭଳିଭାବେ ବ୍ୟାପୁଛି ତାହାକୁ ଭାରତୀୟ ସଂସ୍କୃତିରେ ଆଲୋଚନା କରିବା ଲଜ୍ଜାକର ବିଷୟ । ତଥାପି ଲଜ୍ଜା ପରିତ୍ୟାଗ କରି ଏହି ରୋଗଠାରୁ ନିଜକୁ ଦୂରେଇ ରଖିବା ସକାଶେ ସଚେତନତା ଓ ସତର୍କତାହିଁ ମୂଳ । ଏହା ବିଷୟରେ ଜାଣିଲେ ଯାଇ ଏହି ରୋଗ ଠାରୁ ଜିଣିପାରିବା । ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ଟିବି) ତଥା ଏଡ୍ସ ପରିଚାଳନାର ନୋଡାଲ୍ ଅଧିକାରୀ ଡଃ ଅବନୀ କୁମାର ପାତ୍ର ନିଜ ବକ୍ତବ୍ୟରେ ମାନସିକ ସ୍ତରରେ ବିକୃତ ନ ହୋଇ ଧୈର୍ଯ୍ୟର ସହ ଔଷଧ ସେବନ କରିବା ତେବେଯାଇ ଏହି ରୋଗରେ ପୀଡିତ ହେଲେ ମଧ୍ୟ ଧୈର୍ଯ୍ୟର ସହ ବଞ୍ଚିବା ଉପରେ ଗୁରୁତ୍ବ ଦେଇପାରିବା ଜଣାଇ, ସିଡି-୪ କାଉଣ୍ଟ ଦ୍ବାରା ଡାଏଲେସିସ୍ ଲୋଡ୍ ର ମାତ୍ରା ଜାଣିପାରିବା ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅନ୍ୟତମ ଅତିଥି ରୂପେ ଯୋଗଦେଇ ରୋଗକୁ ଘୃଣା କରିବା, ରୋଗୀକୁ ନୁହେଁ । ଏହି ରୋଗରେ ପୀଡିତ ରୋଗୀଙ୍କୁ ପରାମର୍ଶ ଦେଇ ଉଚିତ୍ ମାର୍ଗ ଦର୍ଶନ କଲେ ସେମାନଙ୍କ ମନରେ ବଞ୍ଚିବାର ଆଶା ସଂଚାର ହୋଇପାରିବ । ସଚେତନତା ଓ ସତର୍କତା ହିଁ ଏହି ରୋଗ ଠାରୁ ପ୍ରତ୍ୟେକେ ନିଜକୁ ସୁରକ୍ଷିତ ରଖିପାରିବେ ଏଣୁ ଏହି ରୋଗ କଣ କିପରି ବ୍ୟାପେ ତା ବିଷୟରେ ସମୂଳ ଜ୍ଞାନ ଆହରଣର ଆବଶ୍ୟକତା ରହିଛି ବୋଲି କହିଥିଲେ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର (ଡିଏପିସିକ୍ୟୁ) ଗଞ୍ଜାମ ହେମନ୍ତ ଦାଶ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାଶ ଏଡ୍ସର ବିଭିନ୍ନ ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାରେ ୨୦୦୦ ମସିହା ଠାରୁ ୨୦୨୦ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ୧୩୯୬୧୯୯ ଜଣଙ୍କୁ ପରାମର୍ଶ ଦିଆଯାଇ ୧୨୩୭୩୩୭ ଜଣଙ୍କଠାରୁ ନମୂନା ପରୀକ୍ଷା କରାଯାଇଥିଲା ଏବଂ ତନ୍ମଧ୍ୟରୁ ୧୬୫୧୫ ଜଣଙ୍କ ଠାରେ ଏହି ରୋଗ ହୋଇଥିବା ସୂଚନା ମିଳିଛି । ୨୦୦୯ ମସିହାରେ ୧୧୭ ଜଣଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଥିବା ସ୍ଥଳେ ଚଳିତ ବର୍ଷ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ୩୦ ଜଣଙ୍କ ଠାରେ ଏହିରୋଗ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
ବୈଠକରେ ନର୍ସିଂ ବିଦ୍ୟାଳୟର ଶିକ୍ଷୟିଚ୍ରୀ ଏବଂ ଛାତ୍ରୀଗଣ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭ୍ୟ ସଭ୍ୟା ଓ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ (ଏନ୍.ଟି.ଇ.ପି) ବିଦେଶୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ . ।

LEAVE A REPLY

Please enter your comment!
Please enter your name here