ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି:ଅପରାଧୀ ଙ୍କ ଉପରେ ତିକ୍ଷୀଣ ନଜର, ସମ୍ବେଦନଶୀଳ ସ୍ଥାନରେ ଫ୍ଲାଗମାର୍ଚ୍ଚ

0
252

ଭଞ୍ଜନଗର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଭଞ୍ଜନଗର ପୋଲିସ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସହ ଅପରାଧ ମୁକ୍ତ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୁଣା ଅପରାଧୀ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଉପରେ ତିକ୍ଷୀଣ ନଜର ରଖାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ କହିଛନ୍ତି। ବେଆଇନ ଭାବେ ଚାଲିଥିବା ମଦ ବିକ୍ରି ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଥିବା ନେଇ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି। ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା କାର୍ଯ୍ୟକୁ ରୋକିବା ସହ ସେ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବ। ଅବାଧ ଓ ନିରପେକ୍ଷ ର୍ନିବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ନେଇ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ପୁଲିସ ବିଭିନ୍ନ ସ୍ଥାନରେ ରହି ଗାଡି ମୋଟରକୁ ଯାଞ୍ଚ ମଧ୍ୟ କରାଯିବ। ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି ଆଶଙ୍କାରେ ୨୫୩ ଜଣଙ୍କ ନାମରେ ୧୦୭ ସିଆରପିସି ଧାରାରେ ନୋଟିସ ଜାରି କରାଯାଇଛି। ପାଞ୍ଚ ଜଣ ହାର୍ଡକୋର ଅପରାଧୀ ଙ୍କ ନାମରେ ୧୧୦ ଓ ୧୪ ଜଣଙ୍କୁ ୮୨ ସିଆରପିସି ଧାରାରେ ନୋଟିସ ଜାରି କରାଯାଇଛି। ଜାମିନରେ ଆସିଥିବା କିଛି ଅଭିଯୁକ୍ତ ନିର୍ବାଚନ ସମୟରେ ଅପରାଧ ଘଟାଇବା ଆଶଙ୍କା କରି ପ୍ରାୟ ୩୫ଜଣଙ୍କ ନାମରେ ସେମାନଙ୍କ ଜାମିନ ଖାରଜ ପାଇଁ ନିବେଦନ କରାଯାଇଛି। ଭଞ୍ଜନଗର ଥାନା ଅଧୀନରେ ଥିବା ୩୨ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀ ଙ୍କୁ ଥାନାରେ ବନ୍ଧୁକ ପୈଠ ପାଇଁ ନୋଟିସ କରାଯାଇଛି। ନିର୍ବାଚନ ସମୟରେ ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରହିବ ସେଥିପାଇଁ ବିଭିନ୍ନ ଟିମ ଗଠନ କରାଯାଇଛି। ଯେକୌଣସି ଆଇନ ଉଲଂଘନକାରୀ ଙ୍କ ଉପରେ ତ୍ୱରିତ କାଯ୍ୟାନୁଷ୍ଠାନ ପାଇଁ ପ୍ରାକ୍ ବ୍ୟବସ୍ଥା କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏଥି ସହିତ ନିର୍ବାଚନକୁ ଆଖି ଆଗରେ ରଖି ଭଞ୍ଜନଗର ଉପଖଣ୍ଡ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ମଙ୍ଗଳବାର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ମୁଦୁଲିପଲି ଗ୍ରାମରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ସମେତ ସଦଳବଳ ପୁଲିସ୍ ଟିମ୍ ଫ୍ଳାଗ୍ ମାର୍ଚ୍ଚ କରିଛନ୍ତି। ନିର୍ବାଚନ ସମୟରେ ଯେଭଳି ଆଇନ ଶୃଙ୍ଖଳା ବଜାୟ ରହିବ ସେଥିପାଇଁ ଜନସାଧାରଣଙ୍କୁ ଡାକବାଜି ଦ୍ୱାରା ସଚେତନ କରିଥିଲେ। ସମ୍ବେଦନଶୀଳ ସ୍ଥାନ ଗୁଡିକୁ ନଜର ରଖାଯାଇଥିବା ବେଳେ ପୋଲିସ ଉପଖଣ୍ଡରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ବୋଲି ଅତିରିକ୍ତ ଏସପି ବି.କେ ମଲ୍ଲିକ କହିଛନ୍ତି। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଯେକୌଣସି ସୂଚନା ପୋଲିସ କୁ ନିର୍ଭୟରେ ଜନସାଧାରଣ ପ୍ରଦାନ କରିବା ସହ ସହଯୋଗ କରିବା ପାଇଁ ଥାନା ଅଧିକାରୀ ନିବେଦନ କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here