ଗାଡ଼ି ଧକ୍କାରେ ମାଙ୍କଡ଼ ମୃତ ; ଏକ ଘଣ୍ଟା ଧରି ରାସ୍ତା ଅବରୋଧ କଲେ ମାଙ୍କଡ଼ ଦଳ

0
267

ବେଲଗୁଣ୍ଠା:ରକ୍ତର ସମ୍ପର୍କ କେବଳ ମଣିଷ ନୁହଁନ୍ତି, ମଣିଷଠାରୁ ଅଧିକ ବୁଝନ୍ତି ପଶୁମାନେ I ଆଜି ଏକଥା ପ୍ରମାଣିତ କରିଛନ୍ତି ଦଳେ ମାଙ୍କଡ଼ I ଏକ ମାଙ୍କଡ ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିବା ପରେ ମାଙ୍କଡ଼ ଦଳ ଏକ ଘଣ୍ଟା ଧରି ମାଙ୍କଡ଼ର ମୃତ ଦେହକୁ ଜଗି ରହିବା ସହ ରାସ୍ତା ଅବରୋଧ ଭଳି ପରିସ୍ଥିତି ସୃ୍ଷ୍ଟି କରିଛନ୍ତି ବେଲଗୁଣ୍ଠା ସହରରେ I ସୂଚନା ପ୍ରକାରେ ଆଜି ସକାଳ ଦଶ ଘଣ୍ଟା ତିରିଶ ମିନିଟ୍ ସମୟରେ ବେଲଗୁଣ୍ଠା ବାଙ୍କ ବଜାର ସ୍ଥିତ ପୋଷ୍ଟ୍ ଅଫିସ ସମ୍ମୁଖରେ ଏକ ମାଙ୍କଡ଼ ରାସ୍ତା ପାର ହେଉଥିବା ସମୟରେ ହଠାତ୍ ଇଣ୍ଡିଗୋ କାର୍ ସାମ୍ନାକୁ ଆସିଯାଇ କାର୍ ସହିତ ଧକ୍କା ହୋଇ ମୃତ୍ୟୁ ବରଣ କରିଥିଲା I ଏ ଘଟଣା ଦେଖି ପାଖରେ ଥିବା ଆଉ କିଛି ମାଙ୍କଡ଼ ସାଙ୍ଗେ ସାଙ୍ଗେ ମୃତ ମାଙ୍କଡ଼ ନିକଟକୁ ଆସିଯାଇ ରାସ୍ତା ଅବରୋଧ କରିଥିଲେ I ନିଜ ସାଥୀର ମୃତ୍ୟୁରେ ମାଙ୍କଡ଼ ମାନେ ହିଂସ୍ର ହୋଇଯାଇଥିବାରୁ ସେହି ରାସ୍ତା ଦେଇ ଲୋକେ ଯିବା ଆସିବା ପାଇଁ ଭୟ କଲେ I ପ୍ରାୟ ଏକ ଘଣ୍ଟା ପରେ ବହୁ ଲୋକ ଏକାଠି ହୋଇ ମାଙ୍କଡ଼ ମାନଙ୍କୁ ଘଉଡାଇବା ପରେ ମାଙ୍କଡ଼ ମାନେ ସେଠାରୁ ଚାଲି ଯାଇଥିଲେ I ପରେ ଡ଼ାକ କର୍ମଚାରୀମାନଙ୍କ ସହଯୋଗରେ ମାଙ୍କଡ଼ର ମୃତ ଦେହକୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା I ବର୍ତ୍ତମାନ ସମୟରେ ସାଧାରଣ ସ୍ୱାର୍ଥ ଟିକେ ପାଇଁ ଭାଇ ଭାଇ, ବାପା ପୁଅ ଏବଂ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଫାଟ ସୃ୍ଷ୍ଟି ହୋଇ ରକ୍ତାକ୍ତ ସଂଘର୍ଷ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଆଜିର ମାଙ୍କଡ଼ ମାନେ ଏକାଠି ହୋଇ ନିଜର ସାଥୀ ପାଇଁ ରାସ୍ତା ଅବରୋଧ କରିବା ଘଟଣା ନିଶ୍ଚିତ ଭାବେ ମଣିଷ ମାନଙ୍କ ପାଇଁ ଏକ ଶିକ୍ଷା ବୋଲି ଅଞ୍ଚଳରେ ଚର୍ଚ୍ଚା ଧରିଥିଲା I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here