ଚଳଚଞ୍ଚଳ ଗାଁ ରାଜନୀତି,ଗଡ଼ ଜଗିଲେଣି ନେତା ,ଦକ୍ଷତାର ମାପକାଠି ପଞ୍ଚାୟତ ନିର୍ବାଚନ

0
504

ଭଞ୍ଜନଗର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଭଞ୍ଜନଗର ବ୍ଲକ ରେ ଫେବ୍ରୁଆରୀ ୨୪ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତାରିଖ ଘୋଷଣା ହୋଇଛି । ବ୍ଲକର ୨୨ଟି ପଞ୍ଚାୟତ,୨୨ଟି ସମିତି ସଭ୍ୟ, ତିନୋଟି ଜିଲ୍ଲା ପରିଷଦ ସଭ୍ୟ ସହିତ ସମସ୍ତ ୱାର୍ଡ ର ମେମ୍ବର ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇବେ ପ୍ରାର୍ଥି । ସହର ଠୁ ଗାଁ ସବୁଆଡେ ନିର୍ବାଚନ କୁ ନେଇ ଚର୍ଚ୍ଚା। କିଏ କେଉଁଠୁ ପ୍ରାର୍ଥି ହେଉଛି ତାହା ଉପରେ ଏବେ ଭୋଟର ଙ୍କ ନଜର ରହିଥିବା ବେଳେ ଆଶାୟୀ ମାନେ ମଧ୍ୟ ଜୋରଦାର ଲବି ଆରମ୍ଭ କରି ଦେଇଛନ୍ତି। ଅନେକ ଆଶାୟୀ ସେମାନେ ପ୍ରାର୍ଥି ହେବା ପାଇଁ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ଙ୍କ ଠାରୁ ସବୁଜ ସଙ୍କେତ ପାଇଥିବା ବେଳେ ଅନେକ ଦ୍ୱନ୍ଧରେ ରହିଛନ୍ତି । ତେବେ ଆଶାୟୀ ଙ୍କ ଠାରୁ ଅଧିକ ଚାପରେ ରହୁଛନ୍ତି ସ୍ଥାନୀୟ ନେତା। ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନେତା ଙ୍କ ଦକ୍ଷତାର ମାପକାଠି ହେଉଛି ଏହି ପଞ୍ଚାୟତ ନିର୍ବାଚନ। ନିଜ ରାଜନୈତିକ ଦକ୍ଷତାର ପ୍ରତିପାଦନ କରିବା ସହ ନିର୍ବାଚନରେ ଭଲ ଫଳାଫଳ କରି ରାଜ୍ୟ ନେତୃବୃନ୍ଦ ଙ୍କ ଆସ୍ଥା ଭାଜନ ପାଇଁ ଅଣ୍ଟା ଭିଡ଼ିଲେଣି ନେତା। ଆଉ ଏଥିପାଇଁ ନେତା ସେମାନଙ୍କ ଗଡ଼ ଜଗିବା ଆରମ୍ଭ କରି ଦେଲେଣି। ପଂଚାୟତ ନିର୍ବାଚନ ନିମନ୍ତେ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ବ୍ଲକରେ ଜାତୀୟ କଂଗ୍ରେସ ଦଳ ଅସ୍ତିତ୍ବ ଦୁର୍ବଳ ହୋଇ ପଡ଼ିଥିବା ବେଳେ ମୁଖ୍ୟତଃ ଶାସକ ବିଜେଡ଼ି ଏବଂ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ । ଗ୍ରାମାଞ୍ଚଳ ମାନଙ୍କରେ ବିଜେଡି-ବିଜେପି ନିଜର କର୍ମୀ ଓ ଅସନ୍ତୁଷ୍ଟ କର୍ମୀଙ୍କୁ ହାତେଇବା ଲାଗି ବିଭିନ୍ନ ରଣ କୌଶଳ ଆରମ୍ଭ କରି ଦେଇଛନ୍ତି । ଭଞ୍ଜନଗର ବ୍ଲକର ପରିସୀମା ୨୨ ଗୋଟି ପଂଚାୟତ ଓ ତିନୋଟି ଜିଲ୍ଲା ପରିଷଦ ଜୋନ ସଭ୍ୟ ଆସନ କୁ ନେଇ ପରିବ୍ୟାପ୍ତ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ୩ଟି ଯାକ ଜିଲ୍ଲା ପରିଷଦ ଜୋନ ହାତେଇବା ସହ ୧୭ଟି ପଂଚାୟତ ସରପଂଚ ଏବଂ ବ୍ଲକ ଅଧ୍ୟକ୍ଷା ପଦ ହାସଲ କରିଥିଲା। ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ସରକାର ର ବିଭିନ୍ନ ଜନହିତକର ଯୋଜନା କୁ ପାଥେୟ କରି ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଜେଡି ଜନସାଧାରଣ ଙ୍କ ହୃଦୟ ଜୟ କରିବା ସହ ୨୦୧୭ ନିର୍ବାଚନ ଫଳାଫଳ କୁ ଦେହରାଇବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛି । ମନ୍ତ୍ରୀ ଆରୁଖ ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ଲୋକଙ୍କୁ ଅଞ୍ଚଳର ବିକାଶ ଏବଂ ବିଜେଡି ସରକାରର ଜନହିତକର ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି । ବିରୋଧୀ ବିଜେପି ଚଳିତ ପଂଚାୟତ ନିର୍ବାଚନ ରେ ଶାସକ ବିଜେଡି କୁ ଚକମା ଦେବା ଚକକ୍ ରେ ରହିଛି । ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ ଓ ଭଞ୍ଜନଗର ରେ ବିଜେପିର ପୋଷ୍ଟର ବଏ୍ ଯୁବ ନେତା ଗତି ମହାପାତ୍ର ଙ୍କ ନେତୃତ୍ୱରେ ଦଳ ବିଜେଡି ଗଡ଼ ଦଖଲ ପାଇଁ ଯୋଜନା ଆରମ୍ଭ କରି ଦେଇଛି। ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ତୃଣମୂଳ ସ୍ତର ରୁ ଲୋକଙ୍କୁ ଅବଗତ କରାଇବା ସହ ପ୍ରାର୍ଥି ଚୟନ ଓ ସଂଘଠନ ମଜବୁତ କରିବାରେ ଲାଗି ପଡିଛି। ଅପରପକ୍ଷରେ ଭଞ୍ଜନଗର ରେ ସର୍ବପୁରାତନ ଦଳ କଂଗ୍ରେସ ଅସ୍ତିତ୍ବ ହରାଇଥିବା ବେଳେ ଭଞ୍ଜନଗର ରେ ଦଳର ପୋଷ୍ଟର ବଏ୍ ସାଜି ଥିବା ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ଦେଖା ମିଳୁନି। ଏପରି କି ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପକ୍ଷରୁ ଆଖି ଦୃଶିଆ ରଣ କୌଶଳ ଦେଖା ଦେଇନି। ଯାହା ଫଳରେ କର୍ମୀ ମହଲରେ ଅସନ୍ତୋଷ ଓ ନିରାଶର ବାତାବରଣ ସୃଷ୍ଟି ହୋଇଛି। ଏକରକମ କହିବାକୁ ଗଲେ ବ୍ଲକରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ । ଏ ସବୁ ଭିତରେ ଆଶାୟୀ ପ୍ରାର୍ଥି ମାନେ ଘରକୁ ଘର ବୁଲି ଜନ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି । ଅପରପକ୍ଷରେ କାହାକୁ ଟିକଟ ଦେଲେ ଭଲ ଫଳାଫଳ ହେବ ସେ ନେଇ ଆଲୋଚନା ସହ ବିଭିନ୍ନ ପଞ୍ଚାୟତରେ ଗ୍ରାମାଞ୍ଚଳ ନେତା ମାନଙ୍କର ରୁଦ୍ଧଦ୍ୱାର ବୈଠକ ଜାରି ରହିଛି । ଏ ସବୁ ଭିତରେ ସ୍ଥାନୀୟ ନେତା ଙ୍କ ପାଇଁ ପଂଚାୟତ ନିର୍ବାଚନ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ନିଜ ନିଜର ଦଳୀୟ ସମର୍ଥୀତ ପ୍ରାର୍ଥିକୁ ଜିତାଇ ସେମାନଙ୍କ ଦକ୍ଷତାର ପରିଚୟ ଦେଇଥାନ୍ତି। ତେଣୁ ପଞ୍ଚାୟତ ନିର୍ବାଚନରେ କିପରି ଭଲ ଫଳାଫଳ ହେବ ସେ ନେଇ ସବୁ ଦଳର ନେତା ଏବେ ଗଡ଼ ଜଗିଲେଣି। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାନୁଆରୀ ୧୭ ରୁ ୨୧ ପଯ୍ୟନ୍ତ ଚାଲିବ। ମନୋନୟନ ପତ୍ର ଯାଞ୍ଚ ୨୨ ଏବଂ ଚୂଡାନ୍ତ ତାଲିକା ଜାନୁଆରୀ ୨୫ ରେ ପ୍ରକାଶ ହେବ। ଏ ସବୁ ଭିତରେ କୋଭିଡ ଗାଇଡ଼ ଲାଇନ ରେ ଅନୁସାରେ ପ୍ରାର୍ଥି କିପରି ଜନ ସମର୍ଥନ ହାସଲ,ଡିଜିଟାଲ ପ୍ରଚାର କୁ ଗୁରୁତ୍ୱ ଦେବେ ସେ ନେଇ ଏବେ ସରଗରମ ଭଞ୍ଜନଗର ରାଜନୀତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here