ସଂଯୁକ୍ତ କିଷାନ୍ ମୋର୍ଚ୍ଚା, ଓଡିଶା ପକ୍ଷରୁ ରାଜ୍ୟର କୃଷକ ମାନଙ୍କ ସମସ୍ୟା ନେଇ ଆନ୍ଦୋଳନ ଡାକରା

0
252

ଭୁବନେଶ୍ୱର: ଐତିହାସିକ କୃଷକ ଆନ୍ଦୋଳନ ଚାପରେ ତିନି କଳା କୃଷି ଆଇନର ପ୍ରତ୍ୟାହାର ପରେ ଆଗାମୀ ଦିନରେ ରାଜ୍ୟର କୃଷକ, କ୍ଷୁଦ୍ର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଓ ଆଦିବାସୀ ତଥା ପାରମ୍ପରିକ ବନବାସୀ ମାନଙ୍କ ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ତଥା ଅଭିଯାନ କରିବାକୁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା, ଓଡିଶାର ଆବାହକ ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଆଜି ନେତାଜୀ ଭବନ(ଫରୱାର୍ଡ ବ୍ଲକ ଅଫିସ୍)ରେ ଆୟୋଜିତ ବୈଠକରେ ଏ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଶିଷ୍ଟ କୃଷକ ନେତା ତଥା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଲିଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କୃଷକ କ୍ଷେତ ମଜଦୁର୍ ସଂଗଠନର ସନ୍ତୋଷ ରଥ, ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଜନ ଆନ୍ଦୋଳନ ମାନଙ୍କ ରାଷ୍ଟ୍ରୀୟ ସମନ୍ବୟ (ଏନ୍.ଏ.ପି.ଏମ୍) ର ପ୍ରଫୁଲ୍ଲ ସାମନ୍ତରା, ଅଗ୍ରଗାମୀ କୃଷକ ସଭାର ଜ୍ୟୋତି ରଞ୍ଜନ ମହାପାତ୍ର, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଲୋହିଆ ଏକାଡେମୀର ଦେବପ୍ରସାଦ ରାୟ ମହାପାତ୍ର, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଖିଳ ଭାରତ କୃଷକ ସଭାର ଶଶୀଭୂଷଣ ସ୍ୱାଇଁ, କ୍ଷେତ ମଜଦୁର୍ କିଷାନ୍ ସଭାର ଶ୍ରୀକାନ୍ତ ମହାନ୍ତି, କିଷାନ୍ ମହାସଭାର ମହେନ୍ଦ୍ର ପରିଡ଼ା, ଅଗ୍ରଗାମୀ କୃଷକ ସଭାର ଶମ୍ଭୁ ପ୍ରସାଦ ମହାନ୍ତି, କୃଷକ କ୍ଷେତ ମଜଦୁର୍ ସଂଗଠନର ନିରଞ୍ଜନ ମହାନ୍ତି, ଟ୍ରେଡ୍ ୟୁନିୟନ ନେତା ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ଓଡିଶା କୃଷକ ସଭାର ସାଥି ବସନ୍ତ ନନ୍ଦଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ସାଥୀ ମାନଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ବିଭିନ୍ନ ବିଷୟରେ ବ୍ୟାପକ ବିଚାର ବିମର୍ଷ କରାଯାଇଥିଲା ।
କେବଳ ଧାନ ନୁହେଁ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା, ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ସହ ସମସ୍ତ ସୁବିଧା ସୁଯୋଗ, ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ, ଆଦିବାସୀ ଓ ପାରମ୍ପରିକ ବନବାସୀ ମାନଙ୍କୁ ସେମାନଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀ ଓ ସଂଗୃହିତ ଲଘୁବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଜଙ୍ଗଲ ଜମିର ଅଧିକାର ପ୍ରଦାନ ଏବଂ ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ଗୁଡିକୁ ସଂହତି ପ୍ରଦାନ କରିବାକୁ କାର୍ଯ୍ୟପନ୍ଥା ଘୋଷଣା କରାଯାଇଛି ।
ତଦନୁଯାୟୀ ଆଗାମୀ ୨୭ ଜାନୁୟାରୀ ୨୦୨୨ରେ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଏକ ରାଜ୍ୟ ସ୍ତରୀୟ କୃଷକ କନଭେନସନ୍ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ଦଳ ଆସନ୍ତା ୬ ଜାନୁୟାରୀ ରେ ଜିନ୍ଦଲ ପ୍ରତିରୋଧ ଆନ୍ଦୋଳନକୁ ସଂହତି ଜଣାଇବା ପାଇଁ ଢ଼ିଙ୍କିଆ ଚାରିଦେଶ ଗ୍ରସ୍ତ କରିବା ସହିତ ଅଦିନିଆ ବର୍ଷା ଓ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ୭ ଜାନୁଆରୀ ଦିନ ଓଡିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଛି । ସେହିପରି ଜୀବନ-ଜୀବିକା ତଥା ପରିବେଶକୁ ଧ୍ୱଂସ କରି ବିକାଶ ନାମରେ ବିନାଶଲୀଳାର ଯୋଜନା ବିରୋଧରେ ଚାଲିଥିବା ଜନ ଆନ୍ଦୋଳନ ଯଥା କୋରାପୁଟର ମାଳି ପର୍ବତ, ବାଲିଆପାଳରେ ସୁବର୍ଣ୍ଣରେଖା ପ୍ରକଳ୍ପ, ପୁରୀ ଜିଲ୍ଲାର ସିପସରୁବାଲି ଆନ୍ଦୋଳନକୁ ସମର୍ଥନ ଓ ସଂହତି ଜଣାଇବାକୁ ରାଜ୍ୟ ଆବାହକ ମଣ୍ଡଳୀ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ଆସନ୍ତା ଫେବୃୟାରୀ ୨୩ ଓ ୨୪ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ଡାକରାରେ ଦେଶବ୍ୟାପୀ ଧର୍ମଘଟ କୁ ସମର୍ଥନ ଜଣାଇବା ସହିତ ଭୁବନେଶ୍ୱର ସୁଭାଷ ନଗର ବସ୍ତି ଉଚ୍ଛେଦ ବିରୋଧରେ ଆନ୍ଦୋଳନ ପ୍ରତି ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡିଶା ପକ୍ଷରୁ ସଂହତି ଜ୍ଞାପନ କରାଯାଇଛି ।।

LEAVE A REPLY

Please enter your comment!
Please enter your name here