ବରାହ ଶିକାର ପାଇଁ ବିଦ୍ୟୁତ ଫାସରେ ଲାଗି ମହିଳା ଗୁରୁତର

0
257

ବୁଗୁଡା : ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଗୌଡ଼ିଆବୋରଦା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ଜଙ୍ଗଲରେ ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୩୫ ବର୍ଷ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ଗାନ୍ଧିନଗର ନିକଟସ୍ଥ ଜଙ୍ଗଲରେ ବରାହ ଶିକାର ପାଇଁ କେହି ଶିକାରୀ ବିଦ୍ୟୁତ ଫାସ ପକାଇଥିଲେ। ଗାନ୍ଧିନଗର ଗ୍ରାମର ରଜନୀ ଜେନା କ୍ଷେତରୁ ଧାନ କାଟି ଘରକୁ ଫେରୁଥିବା ବେଳେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ। ଅନ୍ୟଜଣେ ମହିଳା ଏହା ଦେଖି ଗ୍ରାମରେ ଖବର ଦେଇଥିଲେ। ଗ୍ରାମଲୋକେ ଘଟଣା ବିଷୟ ନେଇ ବାଲିପଦର ଫାଣ୍ଡିକୁ ଖବର ଦେବାସହ ବନ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗର ବନରକ୍ଷୀ ମଧ୍ୟ ଯାଇଥିବା ଜଣାପଡିଛି। ଆହତ ମହିଳାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଛି। ନଭେମ୍ବର ୨୬ ତାରିଖ ଦିନ କରଚୁଲି ପଞ୍ଚାୟତର କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ଼ ବିଦ୍ୟୁତ ଫାସରେ ଲାଗି ପ୍ରାଣ ହରାଇଥିବା ବେଳେ ଠିକ ଏକମାସ ପରେ ଡିସେମ୍ବର ୨୬ ତାରିଖ ଦିନ ଗାନ୍ଧିନଗର ଗ୍ରାମର ରଜନୀ ଜେନା ବରାହ ଶିକାର ପାଇଁ ବିଛା ଯାଇଥିବା ଫାସରେ ଲାଗି ଗୁରୁତର ଅବସ୍ଥାରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କୁ କିଛିଦିନ ପୂର୍ବେ ଯୋଗାଯୋଗ ବେଳେ ସେ କହିଥିଲେଯେ ଆଉ ଦୁଇ ମାସ ପରେ ମୁଁ ଅବସର ନେବି ……..। ଅବସର ନେବାକୁ ଆଉ ଦୁଇମାସ ଥିବା ଯୋଗୁଁ ଜଣେ ଦାୟିତ୍ୱବାନ ଅଧିକାରୀ ଭାବେ କାର୍ଯ୍ୟ କରୁନଥିବା ଅନୁମାନ କରାଯାଉଛି। ପେଟ୍ରୋଲିଂ ବ୍ୟବସ୍ଥା ପାଇଁ ବନାଞ୍ଚଳ ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଯୋଗୁଁ ଏହିପରି ଅଭାବନୀୟ ଘଟଣା ଘଟୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here