ଅଶାନ୍ତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ, ୨୪ ଘଣ୍ଟାରେ ଛୁରାମାଡ଼ ସହ ଗଡ଼ିଲା ଦୁଇଟି ମୁଣ୍ଡ, ଗୋଟିଏ ଦିନରେ ଦୁଇ ମୃତ ଜଣେ ଗୁରୁତର,

0
445

ବେଗୁନିଆପଡା: ଅଶାନ୍ତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ । ଗୋଟିଏ ପରେ ଗଡୁଛି ଗୋଟିଏ ମୁଣ୍ଡ । କେଉଁଠି ବିଚ ରାସ୍ତାରେ ହତ୍ୟା କରାଯାଉଛି ତ କେଉଁଠି ଶୋଇଥିବା ସମୟରେ ପଥରରେ ଛେଚି ହତ୍ୟା କରାଯାଉଛି । ଆଉ କଥା କଥାରେ ଉଠୁଛି ଛୁରୀ ଭଳି ବିଭିନ୍ନ ମାରଣାସ୍ତ୍ର । ରକ୍ତର ଛିଟାରେ ନାଁ ଲେଖି ଟାର୍ଗେଟ ଦେଉଛନ୍ତି ଦୁର୍ବୃତ୍ତ । ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଲାଣି କୋକୁଆ ଭୟ । ୨୪ଘଣ୍ଟାରେ ହିଁ ଘଟିଛି ଏହି ସବୁ ଘଟଣା । ଗୋଟିଏ ଦିନରେ ତିନୋଟି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ଓ ଜଣେ ଗୁରୁତର ହୋଇଛନ୍ତି ।ପ୍ରଥମେ ରବିବାର ସକାଳେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଖଦାଳ ସାହିର କାଳୁ ଚରଣ ନାହାକ (୪୦) ନିଜ ସାଙ୍ଗ ସାଗର ସହ ମରାଠୀ ସାହିକୁ କୌଣସି କାମରେ ଯାଇ ଆସୁଥିବା ବେଳେ କୁନା ଦାସ,ତାଙ୍କ ଭାଇ ରଙ୍କ ଓ ଡାକଙ୍କ ସମେତ ଅନ୍ୟମାନେ ଆକ୍ରମଣ କରିବା ପରେ ଘଟଣା ସ୍ଥଳରେ କାଳୁ ମୃତ୍ୟୁବରଣ କରିବା ସହ ସାଗର ଆହତ ହୋଇଥିଲା । ଏହା ପରେ କାଳୁଙ୍କ ସମ୍ପର୍କୀୟ ଡାକ ଦାସଙ୍କ ଘରେ ନିଆଁ ଲଗାଇବା ସହ ରାସ୍ତାରୋକ କରିଥିଲେ । ୨୦୧୧ ମସିହାରେ ଗୁଣି ଗରେଡି ସନ୍ଦେହରେ ଡାକଙ୍କ ବାପା ଗଣପତି ଦାସଙ୍କୁ କାଳୁ ଓ ତାଙ୍କ ସମ୍ପର୍କୀୟ ହତ୍ୟା କରିବା ପରେ ସେବେ ଠାରୁ ମାମଲା ରୁଜୁ ହୋଇ ୧୮ ଜଣଙ୍କ ନାମରେ କେଶ ଚାଲିଥିଲା। ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଡାକ ଓ ତାଙ୍କ ଭାଇ କାଳୁକୁ ହତ୍ୟା କରିଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି। ଘଟଣା ଘଟିବା ପରେ ସାଗର ଦାସ ଡାକ ଦାସ, ରଙ୍କ ଦାସ, କୁନା ଦାସ,ହର୍ଷ ଦାସ, ଶୁକ ଦାସ ଓ ମୌସୁମୀ ଦାସଙ୍କ ନାମରେ ଏତଲା ହେବ ପରେ ଏତଲାକୁ ଭିତ୍ତି କରି ଆଜି କୁନା,ଡାକ ଓ ରଙ୍କଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି।ଅନ୍ୟପଟେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ୪୮ ବର୍ଷୀୟ ବିନାୟକ ପ୍ରଧାନ । ସୂଚନାନୁଯାୟୀ ହତ୍ୟାକାଣ୍ଡ ପୂର୍ବଶତ୍ରୁତା ଓ ମଦ ବେପାରକୁ କେନ୍ଦ୍ରକରି ଘଟିଥିବା ସନ୍ଦେହ କରାଯାଉଛି । ଏହି ହତ୍ୟାକାଣ୍ଡର ପାରିପାର୍ଶ୍ବିକ ସ୍ଥିତିରୁ ଦେଖିଲେ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ହତ୍ୟା କରିବା ପରେ ହତ୍ୟାକାରୀ ମୃତ ବ୍ୟକ୍ତିଙ୍କ ରକ୍ତରେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ ଡ୍ରାଇଭର ଗୌଡ଼ ଘଟଣାସ୍ଥଳରେ ଲେଖିଥିବା ବେଳେ ଏକ ଖାତାରେ ପ୍ରଭା ଗୌଡ଼ଙ୍କ ନାଁ ଲେଖିଛନ୍ତି । ଟାର୍ଗେଟରେ ଲେଖାଯାଇଥିବା ଯୁବକ ଜଣକ ସୁରଟରେ ରହୁଥିବା ବେଳେ ଗତ କିଛି ମାସ ହେଲା ଗ୍ରାମକୁ ଆସିଛନ୍ତି। ଏହି ଯୁବକଙ୍କୁ ମଧ୍ୟ ହତ୍ୟାକାରୀ କେଉଁ କାରଣରୁ ଟାର୍ଗେଟ କରିଛି, ସେନେଇ ପୋଲିସ ତଦନ୍ତର ଦିଗକୁ ନେଇ ହତ୍ୟାକାରୀମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାରେ ଲାଗିଛି। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ପହଂଚି ମୃତଦେହ ଜବତ କରି ତଦନ୍ତ ଚଲାଇଛନ୍ତି। ଗ୍ରାମରେ ରବିବାର ରାତିରେ ଗଣେଶ ମେଢ଼ରେ ଭୋଜି ଭୋଜି ଖାଇ ମୃତ ବ୍ୟକ୍ତି ଜଣଙ୍କ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖରେ ଥିବା ଏକ କୋଠଘରକୁ ଯାଇ ବିଶ୍ରାମ ନେଇଥିଲେ। ପ୍ରତ୍ୟେକ ଦିନ ସେଠାରେ ଗ୍ରାମର କିଛି ନା କିଛି ବ୍ୟକ୍ତି ବସାଉଠା କରୁଥିବା ବେଳେ ଗତକାଲି କୋଠ ଘରକୁ କେହି ଯାଇ ନଥିବାରୁ ଏହାର ସୁଯୋଗ ନେଇ ହତ୍ୟାକାରୀ ଏଭଳି କାଣ୍ଡ ଭିଆଇଛନ୍ତି। ରାତି ୧୨ଟାରେ ଭୋଜିରେ ବ୍ୟବହୃତ ହଣ୍ଡା ସଫା କରିବାକୁ କୋଠଘର ନିକଟରେ ଥିବା ପୋଖରୀକୁ ଯାଇଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଜଣଙ୍କୁ ଅଟକ ରଖି ପଚାଉଚରା କରୁଛି।ସେହିପରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଥାନା ଅନ୍ତର୍ଗତ ଫାଶୀ ଗ୍ରାମରେ ଛୁରାମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଶାନ୍ତ ନାହାକ । ରବିବାର ରାତିରେ ସେହି ଗ୍ରାମର ନାରାୟଣ ପ୍ରଧାନଙ୍କ ଘରେ ପ୍ରଶାନ୍ତ ପହଁଚିବା ପରେ ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସହ ହତାହାତି ଉପରକୁ କଥା ଯାଇଥିଲା । ଏହା ପରେ ନାରାୟଣଙ୍କ ଛୁରୀ ମାଡରେ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ। ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ପ୍ରଶାନ୍ତଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଆଘାତ କରିଥିବା ନାରାୟଣ କୋଦଳା ଥାନାରେ ଅଟକ ରହିଛି। ରିପୋର୍ଟ ଲେଖିବା ସୁଦ୍ଧା ଏତଲା ହୋଇନଥିବା ପୋଲିସ ପ୍ରକାଶ କରିଛି।

ରିପୋର୍ଟ : ଦକ୍ଷିଣ ଓଡ଼ିଶା ମୁଖ୍ଯ

LEAVE A REPLY

Please enter your comment!
Please enter your name here