ସନ୍ଦେହ ସତ ହେଲା ; ପାହାଡ ଉପରେ ମାଟି ତଳୁ ମିଳିଲା ଯୁଧିଷ୍ଠିରଙ୍କ ମୃତଦେହ; ୪ ସମ୍ପର୍କୀୟ ଗିରଫ

0
262

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) ସନ୍ଦେହ ଶେଷରେ ସତ ହେଲା ।ପାହାଡ ଉପରେ ମାଟି ଭିତରୁ ବାହାରିଲା ଯୁଧିଷ୍ଠିରଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ।ତାଙ୍କର ସମ୍ପର୍କୀୟ ପୁତୁରା, ଝିଆରୀ ଯୁଧିଷ୍ଠିର ଙ୍କୁ ହତ୍ୟା କରିବା ପରେ ଟାଙ୍ଗିଆ ଓ କୁରାଢ଼ୀ ଦ୍ବାରା ଗଣ୍ଡି ରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ ।ଏହାପରେ ସେମାନେ ପାହାଡ ଉପରେ ଦୁଇଟି ସ୍ଥାନ ରେ ମାଟି ଖୋଳି ମୁଣ୍ଡ ଓ ଗଣ୍ଡି କୁ ଅଲଗା ଅଲଗା ପୋତି ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୫୬୪/୨୦୨୧ ଅନୁଯାୟୀ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ନିଜ ବଡ଼ ବାପା ଙ୍କୁ ହତ୍ୟା କରିଥିବା ଅଭିଯୋଗ ରେ ଶୈଳେନ୍ଦ୍ରୀ ପ୍ରଧାନ, ଝିଲ୍ଲୀ ପ୍ରଧାନ, ପ୍ରଭାକର ପ୍ରଧାନ, ନବ ପ୍ରଧାନ ପ୍ରଭୃତି ୪ ଜଣ ଝିଆରୀ, ପୁତୁରା ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ଗୁଣି କରୁଥିବା ଅଭିଯୋଗ ରେ ସମ୍ପର୍କୀୟ ଭାଇଙ୍କ ପରିବାର ଲୋକେ ୬୦ ବର୍ଷୀୟ ବୃଦ୍ଧ ଯୁଧିଷ୍ଠିର ପ୍ରଧାନ ଙ୍କୁ ହତ୍ଯା କରି ପାହାଡ ଉପରେ ମାଟି ଖୋଳି ପୋତି ଦେଇଥିବା ସନ୍ଦେହ କରି ଯୁଧିଷ୍ଠିରଙ୍କ ଘର ଲୋକେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏସ ଆଇ ଅମ୍ବିକା ବେଣିଆ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ସୋମବାର ଘଟଣା ସ୍ଥଳ କୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ ।ତେବେ ସନ୍ଧ୍ୟା ହୋଇ ଯାଇଥିବା ରୁ ମଙ୍ଗଳବାର ସକାଳୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ମାଟି ଖୋଳା ଯିବା ପାଇଁ ସ୍ଥିର ହୋଇଥିଲା ।ସେହି ଅନୁସାରେ ଆଜି ସକାଳ ୮ ଟାରେ ସାଇଣ୍ଟିଫିକ ଟିମ ସହ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏସ ଆଇ ଅମ୍ବିକା ବେଣିଆ, ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ବାଣିଆ ପଂଚାୟତ ର ବି. ନୂଆଁପଲ୍ଲୀ ଗ୍ରାମ ନିକଟରେ ଥିବା ପାହାଡ ଉପରେ ପହଞ୍ଚି ଥିଲେ ।କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ମାଜିଷ୍ଟ୍ରେଟ ଭାବେ ସେଠାରେ ଉପସ୍ଥିତ ଥିଲେ ।ପାହାଡ ଉପରେ ପୋତା ଯାଇଥିବା ଜାଗାରେ ମାଟି ଖୋଳି ମୁଣ୍ଡ ବିହୀନ ଶରୀର କୁ ବାହାର କରାଯାଇଥିଲା ।ସେଠାରୁ ଦୁଇ ହାତ ଦୂରରେ ଅନ୍ୟ ଏକ ସ୍ଥାନରେ ମାଟି ଖୋଳି ମୁଣ୍ଡକୁ ବାହାର କରାଯାଇଥିଲା ।ରବିବାର ସକାଳୁ ନିଖୋଜ ଥିବା ଯୁଧିଷ୍ଠିରଙ୍କ ଶବ ମଙ୍ଗଳବାର ମାଟି ଭିତରୁ ବାହାର କରିବା ବେଳେ ଶବ ପଚି ଯାଇ ଦୁର୍ଗନ୍ଧ ହେଉଥିଲା ।ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ ।ଜଙ୍ଗଲ ଭିତରୁ ହତ୍ୟା ରେ ବ୍ୟବହୃତ ଦୁଇଟି ଟାଙ୍ଗିଆ ଓ ଗୋଟିଏ କୁରାଢ଼ୀ ପୋଲିସ ଜବତ କରିଛି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଂଚାୟତ ର ବି. ନୂଆଁପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ ଗୁଣି କରୁଥିବା ସନ୍ଦେହରେ ତାଙ୍କୁ ହତ୍ଯା କରି ମାଟି ତଳେ ପୋତି ଦେଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସୋମବାର ସନ୍ଧ୍ୟାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବି. ନୂଆଁପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ(୬୦)ରବିବାର ସକାଳ ୮ ଟାରେ କୌଣସି ଜରୁରୀ କାଗଜପତ୍ର ର ଜେରକ୍ସ କରିବା ପାଇଁ ଘରୁ ବାହାରି ଥିଲେ ।ଦୀର୍ଘ ସମୟ ଧରି ଘରକୁ ନ ଫେରିବା ରୁ ନିକଟସ୍ଥ ଝିଅ ଘର ଗ୍ରାମ କୁ ଚାଲି ଯାଇଥିବେ ବୋଲି ପରିବାର ଲୋକେ ଭାବି ନେଇଥିଲେ ।ତେବେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବା ରୁ ଝିଅ ଘରକୁ ଫୋନ କରିବା ରୁ ବାପା ସେଠାକୁ ଯାଇ ନ ଥିବା ଜାଣିବାକୁ ପାଇଥିଲେ ।ସୋମବାର ଦିନ ତମାମ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡରେ ଥିବା ପାହାଡ ତଳେ ଯୁଧିଷ୍ଠିରଙ୍କ ଚପଲ, ଲୁଗା ଓ ଜେରକ୍ସ କରିବା ପାଇଁ ନେଇଥିବା କାଗଜପତ୍ର ଏଣେତେଣେ ପଡି ଥିବା ଦେଖିବାକୁ ପାଇଥିଲେ ।କିଛି ଦୂରରେ ତାଙ୍କର ସାଇକେଲ ଟି ମଧ୍ୟ ପଡିଥିଲା ।ଏହାପରେ ପାହାଡ ଉପରେ ଗୋଟିଏ ସ୍ଥାନରେ ମାଟି ଖୋଳି ପୋତା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ ।ଦୀର୍ଘ ଦିନ ହେଲା ଯୁଧିଷ୍ଠିର ଗୁଣି କରୁଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟ ଭାଇ ଙ୍କ ଘର ଲୋକେ ହତ୍ଯା କରିବାକୁ ଧମକ ଦେଇଥିବା ରୁ ସେମାନେ ଯୁଧିଷ୍ଠିର ଙ୍କୁ ହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ତଦନ୍ତ କରୁଥିବା ଥାନା ଏସ ଆଇ ଅମ୍ବିକା ବେଣିଆ କିନ୍ତୁ ଗୁଣି ସନ୍ଦେହ କୁ ଅସ୍ବୀକାର କରିଛନ୍ତି ।ଜମିଜମା ବିବାଦ କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସେ କହିଛନ୍ତି ।ହତ୍ୟା ର ଶିକାର ହୋଇଥିବା ଯୁଧିଷ୍ଠିର ଭାଇ ସ୍ବର୍ଗତ ବନମାଳୀ ପ୍ରଧାନ ଙ୍କ ଜମି କୁ ନିଜ ଦଖଲରେ ରଖି ଥିବାରୁ ତାଙ୍କୁ ଜୀବନ ରୁ ମାରିଦେବା କୁ ଯୋଜନା କରି ତାଙ୍କ ସମ୍ପର୍କୀୟ ମାନେ ଏହିଭଳି ଏକ କାଣ୍ଡ ଭିଆଇ ଥିବା ଏସ ଆଇ ଅମ୍ବିକା ବେଣିଆ କହିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here