ବନ ବିଭାଗ ତରଫରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଚାରିଜଣ ଚାଲାଣକାରୀ ଗିରଫ: ଦୁଇ ମୋଟରସାଇକେଲ ଜବତ

0
227

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା): ବଜ୍ରକାପ୍ତା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡା ବ୍ଲକ ମିଡ଼ିଆକିଆ ଅଞ୍ଚଳରେ ଜଣଙ୍କ ପାଖରେ ବଜ୍ରକାପ୍ତା ଥିବା ଓ ସେ ତାହା ବିକ୍ରି କରିବାକୁ ଚାହୁଁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ବାଲିଗୁଡ଼ା ବନଖଣ୍ଡର ଡିଏଫ୍ଓ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶନାରେ ବନବିଭାଗ ପକ୍ଷରୁ ଗ୍ରାହକ ଭାବରେ ସମ୍ପୃକ୍ତ ବ୍ୟକ୍ତିସହ ଯୋଗାଯୋଗ କରାଯାଇଥିଲା । ଦେଣନେଣ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଠିକ୍ ହୋଇଥିଲା ଉଭୟଙ୍କ ମଧ୍ୟରେ । ଏହାପରେ ଡିଏଫ୍ଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ବନବିଭାଗର ଏହି ଟିମ୍ ବାଲିଗୁଡ଼ା ଥାନା ମିଡ଼ିଆକିଆ ନିକଟ ଏକ ପୋଲ ନିକଟରେ ଗ୍ରାହକ ବେଶରେ ପହଁଚିଥିଲେ । ବାଲିଗୁଡ଼ା ବନଖଣ୍ଡର ଏସିଏଫ ଡ.ରୁଦ୍ରପ୍ରସାଦ ରଥ,ବନାଞ୍ଚଳ ଅଧିକାରୀ ଉଦିତ୍ କୁମାର ପ୍ରଧାନଙ୍କ ସମେତ ୧୦ ଜଣିଆ ଏକ ସ୍ବତନ୍ତ୍ର ଟିମ୍ ପହଁଚି ଚାଲାଣକାରୀଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ ମୁଲଚାଲ କରିଥିଲେ । ଏହାପରେ ସେମାନଙ୍କ ନିକଟରୁ ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନବିଭାଗ । ଘଟଣାରେ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରିବାସହ ଗୋଟିଏ ଗ୍ଲାମର ମୋଟରସାଇକେଲ ଓ ଗୋଟିଏ ଜୁପିଟର ସ୍କୁଟି ଜବତ କରିଛି ବନବିଭାଗ । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ସେନେଇ ଅଧିକ ଖୋଳତାଡ଼ କରୁଛି ବନବିଭାଗ । ଗିରଫ ଚାରିଜଣଙ୍କ ମଧ୍ୟରେ ମହାସିଙ୍ଗି ଗ୍ରାମର ମହାଦେବ ବେହେରଦଳାଇ, ପାରିଗଡ଼ର ଭିମସେନ ବଡ଼ସେଠ୍,କ.ନୁଆଗାଁ ଥାନା ଅଞ୍ଚଳର ସୁକଦେବ ଦିଗାଳ ଓ ଟିକାବାଲି ପଣଷପଦର ଗ୍ରାମର ସିତାଂଶୁ ମୁଖୀ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here