ତୃତୀୟ ଲହର ସକାଶେ ସତର୍କତା ଜରୁରୀ : ଗଞ୍ଜାମ ଜ଼ିଲ୍ଲାପାଳ

0
239

ଛତ୍ରପୁର: ଆଗାମୀ ଦିନରେ ତୃତୀୟ ଲହର ଆସିବା ସମ୍ଭାବନା ହେତୁ ଗଞ୍ଜାମ ଜ଼ିଲ୍ଲାରେ ଏହାର ପ୍ରଦୁର୍ଭାବକୁ ଏଡ଼ାଇବା ସକାଶେ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପ-ଜ଼ିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମେତ ଜ଼ିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସତର୍କତା ଅଵଲମ୍ବନ କରିବାନେଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି I କରୋନI ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ନେଇ ପୂର୍ବରୁ ପାଳନ କରାଯାଇଥିବା ସମସ୍ତ ସରକାରୀ ନିୟମରେ ବର୍ତ୍ତମାନ ଢିଲା ହେଉଥିବା ପରିଲକ୍ଷିତ ହେଉଛି I ଏଣୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇ ଜ଼ିଲ୍ଲାପାଳ ଜଣାଇ ଅଛନ୍ତିକି ଯେ, ଯଦି କେହି ସରକାରୀ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୁଅନ୍ତି ତେବେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ I ବର୍ତ୍ତମାନ ବଜାର ମାନଙ୍କରେ ପୂର୍ବପରି ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ, ମାସ୍କର ସଠିକ ବ୍ୟବହାର, ହାତ ଧୋଇବା ଇତ୍ୟାଦି ପାଳନ ଦିଗରେ କଡାକଡି କରାଯିବ I ଜନ ସଚେତନତା ସହିତ ଚଢ଼ାଉ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ କୁହାଯାଇଛି I ନିୟମର ଅନୁପାଳନ ଖିଲାପ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ସରକାରୀ ସ୍ତରରେ କଟକଣାକୁ କୋହଳ କରାଯାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହୁଛି । ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବ ନେଇ ସତର୍କତା ଏବଂ କୋଭିଡ୍ ନିୟମର ଅନୁପାଳନ କଡାକଡି ପାଳନ କରିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ଲହର ସଂକ୍ରମିତ ହେଲେ ଜନଜୀବନ ସାଙ୍ଗକୁ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ ରୂପେ ବାଧା ପ୍ରାପ୍ତ ହେବ । ଏହି ତୃତୀୟ ଲହରରୁ ବର୍ତ୍ତିବା ସକାଶେ ସାମୁହିକ ଭାବେ ପ୍ରୟାସ କରିବା ଜରୁରୀ ହୋଇ ପଡିଛି ।ତୃଣମୂଳ ସ୍ତରରୁ କୋଭିଡ୍ ନିୟମ ଅନୁପାଳନ କରିବା ଆବଶ୍ୟକ । ପୂର୍ବ ପରି ସମସ୍ତ ଲୋକ ପ୍ରତିନିଧି କୋଭିଡ୍ ମନିଟର୍ ତଥା ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ବୈଠକ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କହିଛନ୍ତି । ଯେଉଁ ସ୍ଥାନରେ ସଂକ୍ରମିତ ହେଉଛନ୍ତି ତାହାର ତଥ୍ୟ ଆଧାର କରି ଗୁରୁତ୍ବର ସହକାରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠ ସ୍ଥଳୀରେ ଉନ୍ନୟନ କାର୍ଯ୍ୟ ଜୋରଦାରରେ ଚାଲିଛି । ମା ଙ୍କ ଦର୍ଶନ ନିମନ୍ତେ ଭକ୍ତଗଣ ଉକ୍ତ ପୀଠକୁ ଯିବା ସମୟରେ ଉନ୍ନୟନ କାର୍ଯ୍ୟ ବାଧା ସହିତ ଦୁର୍ଘଟଣା ମଧ୍ୟ ଘଟିପାରେ । ଏଣୁ ତାରାତାରିଣୀ ମା ଙ୍କ ଦର୍ଶନକୁ ନ ଯିବା ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଛି । ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ଗୁଡିକ ଖୋଲାଯାଇଛି ଯଦି ସଂପୃକ୍ତ ମନ୍ଦିର ଗୁଡିକରେ କୋଭିଡ୍ ନିୟମ ଅନୁପାଲନ ନ ହେଉଥିବା ପରିଲକ୍ଷିତ ହେଲେ ସାତ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନୀ ମାନେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର, ଅକ୍ସିମିଟର ରଖି ଖାଉଟି ମାନଙ୍କର ଅକ୍ସିଜେନ ସ୍ତର ଯାଂଚ୍ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ନଚେତ୍ ଉକ୍ତ ଦୋକାନ ଗୁଡିକୁ ମଧ୍ୟ 5 ଦିନ ସକାଶେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଡିଓ, ତହସିଲଦାର, ଆଇ.ଆଇ.ସି. ନିଜ ସ୍ତରରେ ବୈଠକ କରି ସଚେତନତା ଓ ଚଢାଉ କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ କୁହାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କ ସ୍ତରର ବୈଠକରେ ଭ୍ୟାକସିନ୍ 5ଗୋଟି ନିୟମ ଟେଷ୍ଟିଂ, ଯାଂଚ୍ କାର୍ଯ୍ୟ, ଚିକିତ୍ସା, ଟିକାକରଣ ଏବଂ ଉପଯୁକ୍ତ କୋଭିଡ୍ ନିୟମ ଆଚରଣ ଅନୁକରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ମାସ୍କର ସଠିକ୍ ବ୍ୟବହାର, ନିଜକୁ ଏବଂ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବ ଏଣୁ ଏହାର ଗୁରୁତ୍ବ ଉପଲବ୍ଧି କରି ସମସ୍ତ ଜନ ସାଧାରଣ ଏବଂ କାର୍ଯ୍ୟାଳୟର କର୍ମଚାରୀ ଅଭ୍ୟାସ ଦିଗରେ ଯତ୍ନବାନ ହେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here