ମାସକ ମଧ୍ୟରେ ଡାବୁଗାଁ ବିଦ୍ୟୁତ୍ ବିଭାଗର ୪ ଟ୍ରାନ୍ସଫର୍ମର ଚୋରି , ଚୋରି ରାକେଟର ବଡ଼ ଗେଙ୍ଗର ର ହାତ ଥିବା ସନ୍ଦେହ

0
351

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଦ୍ୟୁତ୍ ବିଭାଗର ବିଭିନ୍ନ ଗ୍ରାମରୁ ଗତ ଏକ ମାସ ମଧ୍ୟରେ ୪ଟି ଟ୍ରାନସଫର୍ମର ଚୋରି ହୋଇଥିବା ଜଣା ପଡ଼ିଛି । ଏହାଦ୍ବାରା ବିଦ୍ୟୁତ ବିଭାଗର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ବେଳେ ବିଦ୍ୟୁତ୍ ବିଭାଗ ଓ ଉପଭୋକ୍ତା ମଧ୍ୟରେ ପ୍ରତିଦିନ ବିଦ୍ୟୁତ୍‌ ସରବରାହକୁ ନେଇ ବାଦ ବିବାଦ ଲାଗି ରହୁଛି । ଅନ୍ୟପଟେ ୪ଟି ଟ୍ରାନ୍ସଫର୍ମର ଚୋରି ହେବା ଯୋଗୁ ଅଧିକାଂଶ ଗ୍ରାମ ଅନ୍ଧାରରେ ରହିଛି । ବିଦ୍ୟୁତ୍ ବିଭାଗ ତରଫରୁ ଏନେଇ ଡାବୁଗାଁ ଥାନାରେ ଏତଲା ଦିଆଯାଇଛି । ଏହି ୪ଟି ଟ୍ରାନ୍ସଫର୍ମରକୁ ମିଶାଇ ଗତ ଅଢେଇ ମାସ ମଧ୍ୟରେ ପାପଡ଼ାହାଣ୍ଡି ବିଦ୍ୟୁତ ଡିଭିଜନ୍‌ର ବିଭିନ୍ନ ଗ୍ରାମରୁ ୨୪ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିବା ବେଳେ ୩ଟି ଥାନାରେ ୧୦ଟି ମାମଲା ରୁଜୁ ହୋଇଛି । ଅଦ୍ୟାବଧି ଚୋରି ମାମଲାରେ ପୁଲିସ କାହାରିକୁ ଗିରଫ କରି ପାରିନି । ଏହି ଚୋରି ପଛରେ ବଡ଼ ରାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ , ଗତ ମଙ୍ଗଳବାର ରାତିରେ ଡାବୁଗାଁ ସଦରର ଭେଲୁଆଗୁଡ଼ାରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମକୁ ଦୁର୍ବୁତ୍ତ ଚୋରି କରି ନେଇ ଯାଇଥିଲେ । ଏହାର ଦିନକ ପରେ ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅନ୍ତର୍ଗତ ମାଝିଗୁଡ଼ା , ଚଳିତ ମାସ ୬ ତାରିଖରେ ଝାଲିଆଗୁଡ଼ା ଓ ୧୨ ତାରିଖରେ ଧନସରା ଗ୍ରାମରୁ ଟ୍ରାନ୍ସଫର୍ମର ଚୋରି ହୋଇଥିଲା । ଏନେଇ ଡାବୁଗାଁ ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ଟ୍ରାନ୍ସଫର୍ମର ଚୋରି ହେବା ପରେ ଏହି ଗାଁ ଗୁଡ଼ିକ ଅନ୍ଧାରରେ ରହିଥିବାରୁ ଲୋକେ ହଇରାଣ ହେଉଛନ୍ତି । ସରକାର ୨୦୨୨ ମସିହା ସୁଦ୍ଧା ପ୍ରତ୍ୟେକ ଗ୍ରାମ ତଥା ଘରକୁ ବିଦ୍ୟୁତ୍ ସେବା ପହଞ୍ଚାଇବା ନେଇ ଲକ୍ଷ୍ୟ ରଖିଥିବା ବେଳେ ଡାବୁଗାଁ ବିଦ୍ୟୁତ୍ ସେକ୍ସନରେ ଟ୍ରାନ୍ସଫର୍ମର ଚୋରି ହେଉଥିବାରୁ ବିଦ୍ୟୁତ ବିଭାଗ ଚିନ୍ତାରେ ପଡ଼ିଛି । ଯଦି ଶୀଘ୍ର ଏହି ଚୋରି ରାକେଟକୁ ଗିରଫ କରା ନଯାଏ ତେବେ ଅଳ୍ପ ଦିନ ମଧ୍ୟରେ ଡାବୁଗାଁ ବିଦ୍ୟୁତ୍ ସେକ୍ସନର ଅନ୍ୟ ଗ୍ରାମରେ ସ୍ଥାପିତ ହୋଇଥିବା ଟ୍ରାନ୍ସଫର୍ମର ଚୋରି ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here