ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ, ଥାନାରେ ମାମଲା ରୁଜୁ

0
251

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରୀ ଚିକିତ୍ସାରେ ଅବହେଳାକୁ ନେଇ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ୬ଘଣ୍ଟା ଘେରାଉ କରାଯାଇଥିଲା । ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣା ନେଇ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପାରଳା ଥାନାରେ ମାମଲା ରୁଜୁ କରାଯାଇଛି । ଏ ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ମଧ୍ୟରାତ୍ର ୧ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସହରର ନାଇଡୁସାହିର ନାକ୍କା ଲକ୍ଷ୍ମଣ ରାଓଙ୍କ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେତେବେଳେ ଡାକ୍ତରଖାନାରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ପାଢୀ କାର୍ଯ୍ୟାରତ ଥିଲେ । ରୋଗୀ ଲକ୍ଷ୍ମଣଙ୍କୁ ସେ ତୁରନ୍ତ ଆଡ୍‌ମିଶନ କରାଇ ଚିକିତ୍ସା ଆରମ୍ଭ କରି ଔଷଧପତ୍ର ଦେଇ ଚାଲିଯାଇଥିଲେ । ତେବେ ଲକ୍ଷ୍ମଣଙ୍କ ପେଟ ବ୍ୟଥା କମି ନଥିବାରୁ ତାଙ୍କ ପୁତୁରା ନାକ୍କା ଚିନ୍ନା ରାଓ (୨୬) ପୁଣି ଡାକ୍ତର ଶାନ୍ତନୁ ପାଢୀଙ୍କୁ ଡାକିବା ପାଇଁ ଯାଇଥିଲେ ମଧ୍ୟ ଡାକ୍ତର ଜଣକ ଖାମଖିଆଲି ମନୋଭାବ କରି ଔଷଧକୁ ଜଣେ ଜଗୁଆଳି ତଥା ସିକ୍ୟୁରିଟିଗାର୍ଡ ହାତରେ ପଠାଇ ଦେଇ ନିଜ ବିଶ୍ରାମକକ୍ଷକୁ ଚାଲିଯାଇ କହିଥିଲେ ଯେ, ପେଟ ସେମିତି ହିଁ ଯନ୍ତ୍ରଣା ହେବ ଏହି ଔଷଧ ଦେଇ ଦିଅ ପରେ ଆପେ ଭଲ ହୋଇ ଯିବ । ତେବେ ଜଗୁଆଳିଙ୍କ ହାତରେ ପଠାଇ ଥିବା ଔଷଧ ଖାଇଥିଲେ ମଧ୍ୟ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ପୁଣି ତାଙ୍କ ପୁତୁରା ଚିନ୍ନା ରାଓ କର୍ତ୍ତବ୍ୟରତ ଡାକ୍ତରଙ୍କ ବିଶ୍ରାମକକ୍ଷକୁ ଡାକିବାକୁ ଗଲେ । ହେଲେ ସେତେ ବେଳେ ଡାକ୍ତର ଜଣକ ନିଜ କକ୍ଷର କବାଟ ଖୋଲିଲେ ନାହିଁ କି କୌଣସି ଉତ୍ତର ଦେଇନଥିଲେ । ଏପରିକି ଚିନ୍ନା ବାରମ୍ବାର ଡାକ୍ତରଙ୍କ କକ୍ଷକୁ ଯାଇ କବାଟ ବାଡେଇ ଡାକ ଛାଡିଥିବାର ଜଣାଇଛନ୍ତି । ଇତି ମଧ୍ୟରେ ଲକ୍ଷ୍ମଣ ପେଟ ବ୍ୟଥାର ଯନ୍ତ୍ରଣା ସହ୍ୟ ନକରି ପାରି ଚିତ୍କାର କରିଥିଲେ ମଧ୍ୟ ଡାକ୍ତରଖାନାର କେହିବି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଶେଷରେ ରାତି ପାଇଗଲେ ମଧ୍ୟ ଚିକିତ୍ସା ସେବା ମିଳିବାରେ ସମର୍ଥ ହୋଇନଥିଲା । ତେବେ ଆଜି ସକାଳ ୭ଘଣ୍ଟା ସମୟରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ଆଜି ସକାଳ ସମୟରେ ପ୍ରଘଟ ହେବା ପରେ ନାଇଡୁସାହି ବାସୀନ୍ଦାଙ୍କ ସମେତ ଅଞ୍ଚଳର ଶତାଧିକ ଲୋକେ ଚିକିତ୍ସାରେ ଅବହେଳା କରିଥିବାର ଅଭିଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ପଶି ଡାକ୍ତର ଶାନ୍ତନୁ ପାଢୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀ କରି ବସିବା ସହ ଦୀର୍ଘ ୬ଘଣ୍ଟା ଧରି ଚିକିତ୍ସାଳୟ ପରିସରରେ ଧାରଣା ଦେଇଥିଲେ । ଏହା ସହ ଚାପା ଉତ୍ତେଜନା ମଧ୍ୟ ଲାଗି ରହିଥିଲା । ଘଟଣା ସମ୍ପର୍କେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ଏସ୍‌ଆଇ ବିନାୟକ ମନ୍ତ୍ରୀ ପ୍ରମୁଖ ସଦଳବଳେ ପହଞ୍ଚିଥିଲେ ଡାକ୍ତରଖାନାରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ସାନ୍ତବାତାବରଣ ହୋଇ ନଥିଲା। ଶେଷରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖ ପହଞ୍ଚିକି ଉତ୍ତେଜିତ ଲୋକଙ୍କୁ ବହୁ ବୁଝା ସୁଝା କରିବା ସହ ସେମାନଙ୍କ ଦାବିକୁ ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏନେଇ ପାରଳା ଆଦର୍ଶ ଥାନାରେ କେସ ନଂ୧୬୯/୨୧ରୁଜୁ ହୋଇଥିବା ବିଷୟରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀସ୍ୱାଇଁ ସୂଚନା ଦେଇଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here