ଅଗଷ୍ଟ ୨୭ରେ ବରିଷ୍ଠ କଳାକାର ସଂଘର କଳାକାର ମହାସମାବେଶ ନିମନ୍ତେ ନିଷ୍ପତି

0
248

ବ୍ରହ୍ମପୁର: କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଦେଶର ୭୫ତମ ସ୍ବାଧିନତା ଦିବସ ପାଳନ ଅବସରରେ ସଂଘ ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ଥାନୀୟ ସାଂସଦ ଚନ୍ଦ୍ର ଶେଖର ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଳାକାର ସଂଘର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସହ ସାମ୍ପ୍ରତିକ କରୋନା ମହାମାରୀର ଶହୀଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତି ଚାରଣ କରି ପ୍ରତ୍ୟେକ ନିଷ୍ଠାର ସହିତ ସ୍ଵ କର୍ତ୍ତବ୍ୟ ସମ୍ପାଦନ ଭିତରେ ଦେଶର ଅଖଣ୍ଡତା ବଜାୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ଓ ନାଟକ ବିଶ୍ୱବିଦ୍ୟାଳୟ” ପ୍ରତିଷ୍ଠା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଗୀତଜ୍ଞ ସୀମାଞ୍ଚଳ ଦାସ ମୁଖ୍ୟ ଅତିଥି, ବରିଷ୍ଠ ସମାଜସେବୀ CH. ସନ୍ତୋଷ କୁମାର ସୁବୁଦ୍ଧି ମୁଖ୍ୟ ବକ୍ତା ଏବଂ ସର୍ବଶ୍ରୀ ମନୋଜ କୁମାର ପାଣିଗ୍ରାହୀ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ସଙ୍ଗୀତ ଶିକ୍ଷକ ପ୍ରହଲ୍ଲାଦ ବେହେରା, ବରିଷ୍ଠ ହାସ୍ୟ ଅଭିନେତା ନୀଳାମ୍ବର ସାହୁ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ମହାସଂଘର ଅଧିନାୟକତ୍ଵରେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ଓ ନାଟକ ବିଶ୍ୱବିଦ୍ୟାଳୟ” ପ୍ରତିଷ୍ଠାର ଆବଶ୍ୟକତା ଓ ସେଥିରେ ନିଜ ନିଜର ପୂର୍ଣ୍ଣ ସହଯୋଗ ସହିତ ଦକ୍ଷିଣ ଓଡ଼ିଶାର କଳାକାରମାନଙ୍କୁ ସହଯୋଗ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ଏହି ଅବସରରେ ଅଗଷ୍ଟ ୨୭ ତାରିଖରେ ସଂଘ ତରଫରୁ ଏକ କଳାକାର ମହାସମାବେଶର ଡାକରା ଦିଆଯାଇ ଉକ୍ତ ଦିନ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ ଦାବିପତ୍ର ମହାମାନ୍ୟ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଦେବା ନେଇ ସ୍ଥିର କରାଗଲା ।
ବୈଠକ ପ୍ରାରମ୍ଭରେ ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, ଲକ୍ଷ୍ମୀ ନାରାୟଣ ସାମଲ, କୁନୁ ବେହେରା, ନୀଳମାଧବ ଜେନା, ଶିବରାମ ସାବତ, ରବୀନ୍ଦ୍ର କୁମାର ନାୟକ, ପ୍ରଦୀପ କୁମାର ସାହୁ, ସନିଆ ବେହେରା, ଜଗନ୍ନାଥ ପାତ୍ର, ମାମିନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ କୋଷାଧ୍ୟକ୍ଷ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here